ହାଥରସ ଦଳାଚକଟା ମାମଲା: ୬ ସେବାଦାର ଗିରଫ, ମୁଖ୍ୟ ସେବାଦାରକୁ ଧରାଇବା ପାଇଁ ପୁରସ୍କାର ଘୋଷଣା

ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ୬ ଜଣ ସେବାଦାରଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ସତସଙ୍ଗରେ ଦଳଚକଟା ହୋଇଥିବା ବେଳେ ଏହି ୬ ସେବାଦାର ପରିସ୍ଥିତି ନିୟନ୍ତ୍ରଣ ନକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ୧୧୨ ଜଣ ମହିଳା ରହିଛନ୍ତି । ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର । ମାମଲାର ତଦନ୍ତ ପାଇଁ ପୋଲିସ ୭ଟି ଟିମ୍ ଗଠନ କରିଛି । ଏହି ଟିମ୍ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି ।

ସତସଙ୍ଗ ଆୟୋଜନ କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଧୁକରକୁ ଧରାଇ ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଖୁବଶୀଘ୍ର ତାଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି ହେବ ବୋଲି ଆଲିଗଡ ଆଇଜି ସଲଭ ମାଥୁର କହିଛନ୍ତି ।

ଉତ୍ତରପ୍ରଦେଶ ହାଥରସର ରତିଭାନପୁରରେ ସତସଙ୍ଗ କାର୍ଯ୍ୟକ୍ରମରେ ଧର୍ମଗୁରୁ ଭୋଲେବାବା ଓରଫ୍ ନାରାୟଣ ସାକାରଙ୍କ ସତସଙ୍ଗରେ ଥିଲେ ୨ ଲକ୍ଷରୁ ଅଧିକ ଭିଡ ଥିଲେ । ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ପାଦ ଛୁଇଁବାକୁ ଏବଂ ବାହାରିବାକୁ
ଉଦ୍ୟମ କରିବା ବେଳେ ଦଳାଚକଟା ହୋଇ ସତସଙ୍ଗ୍ ପାଲିଟିଗଲା ଶ୍ମଶାନ । ବାବାଙ୍କ ଚରଣ ଧୂଳି ନବା ପାଇଁ ଲୋକେ ଦୌଡିବା ବେଳେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ । ଏଗଜିଟ ଏବଂ ଏଣ୍ଟ୍ରି ପଏଣ୍ଟ ହୋଇନଥିଲା । ଭୋଲେବାବାଙ୍କ ଯିବା ରାସ୍ତାରେ ବ୍ୟାରିକେଡ ନଥିଲା । ଭିଡ ହିସାବରେ କୁଲର ଏବଂ ପଙ୍ଖା ନଥିଲା ସ୍ଥାନ କମ୍ ଥିଲା, ଭେଣ୍ଟିଲେଟର ନଥିଲା । ଏହାପରେ ଏଭଳି ଦଳାଚକଟା ସ୍ଥିତି ଉପୁଜିଥିଲା ।

ଘଟଣା ପରେ ଭୋଲେବାବା ଫେରାର ଅଛନ୍ତି । ସତସଙ୍ଗ ଆୟୋଜକଙ୍କ ନାଁରେ ଏତଲା ରୁଜୁ ହୋଇଛି ।