କାନପୁର ୮ ପୋଲିସ କର୍ମଚାରୀ ସହିଦ ଘଟଣା: ବିକାଶର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କଲା ଏସଟିଏଫ

କେନ୍ୟୁଜ୍(ବ୍ୟୁରୋ): ବିକ୍ରୁର ଗବ୍ଦର ସିଂ । ଗାଁରେ ଥିଲା ଭାରି ଦୁର୍ଦ୍ଦାନ୍ତ । ସୋଲେ ଫିଲ୍ମର ଗବ୍ଦର ଭଳି ବିକାଶ ଦୁବେ ଚଳାଇଥିଲା ନିଜ ସିଣ୍ଡିକେଟ । ବିନା ଇସାରାରେ ଗଛରୁ ପତ୍ର ଝଡୁନଥିଲା କି କୂଅରୁ ପାଣି କାଢ଼ୁନଥିଲେ ମହିଳା । କଥା କଥାରେ ଫୁଟାଉଥିଲା ବନ୍ଧୁକ । ଫିଲ୍ମର କୌଣସି ଭିଲେନ ଠାରୁ କମ ନଥିଲା ବିକାଶ ଦୁବେ । ପୁଣିଥରେ ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେ । ଫରିଦାବାଦର ଏକ ହୋଟେଲରେ ଦୁବେ ଛପିଥିବା ନେଇ ସୂଚନା ମିଳିଥିଲା । ପୋଲିସ ପହଁଚିବା ପୂର୍ବରୁ ତା ପାଖକୁ ପୁଣି ଆସି ଯାଇଥିଲା ଖବର । ହୋଟେଲରୁ ଖସିଗଲା ବିକାଶ ଦୁବେ । ହେଲେ ପୋଲିସ ଗୁଳିରେ ଗଡିଲା ଅମର ଦୁବେର ମୁଣ୍ଡ । ବିକାଶର ଦୁବେର ଡାହାଣ ହାତ ଥିଲା ଅମର । ବିକାଶର କଳା ସାମ୍ରାଜ୍ୟରେ ଅମରର ବଡ଼ ଭାଗ ରହିଥିଲା । ଘଟଣା ଦିନରୁ ସେ ବି ଫେରାର ହୋଇଯାଇଥିଲା । ପୋଲିସର ପ୍ରଥମ ଟାର୍ଗେଟରେ ଥିଲା ଅମର । ହରିଆଣା ହମିରପୁରରେ ଲୁଚି ରହିଥିବା ଖବର ପାଇ ଚଢଉ କରିଥିଲା ଏସଟିଏଫ । ପୋଲିସକୁ ଗୁଳି ମାରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ତାପାଖରୁ ଜବତ ହୋଇଛି ବନ୍ଧୁକ ଓ ଗୁଳିଗୁଳା । ଅମର ଥିଲା ବିକାଶର ବଡି ଗାର୍ଡ । ଜୁନ ୨୯ ତାରିଖରେ ତାର ବାହାଘର ହୋଇଥିଲା ।

ସେହିଭଳି ଉତ୍ତର ପ୍ରଦେଶ ପୋଲିସର ତାଲିକାର ଦ୍ୱିତୀୟରେ ଥିଲା ଶ୍ୟାମୁ । ତାକୁ ବି ଏନକାଉଣ୍ଟର କରିଛି ପୋଲିସ । ହେଲେ ବଞ୍ଚି ଯାଇଛି ବିକାଶ ଦୁବେର ବାମ ହାତ ଶ୍ୟାମୁ ବାଜପେୟୀ । ତା ମୁଣ୍ଡ ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ରଖିଥିଲା ଉତ୍ତରପ୍ରଦେଶ ପୋଲିସ । ଘଟଣା ଦିନଠାରୁ ସେ ଫେରାର ହୋଇ ଯାଇଥିଲା । ଶ୍ୟାମୁଠାରୁ ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରିଛି ଏସଟିଏଫ ।

କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଏବେ ବି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫେରାର । ଫରିଦାବାଦ ଗେଷ୍ଟ ହାଉସ ଉପରେ ପୋଲିସ ଚଢ଼ାଉ କରିଥିଲେ ବି ନିରାଶ ହେବାକୁ ପଡିଛି । ଏହି ଗେଷ୍ଟ ହାଉସରେ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ହେଲେ ସେଠାରେ ପୋଲିସର ଛାପା ପଡିବା ପୂର୍ବରୁ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ପୋଲିସ ୪୦ଟି ଟିମ୍‌ କରି ଖେଦି ଚାଲିଛି । ଖୁବଶୀଘ୍ର ୮ ସହିଦଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ପୋଲିସ ଡିଜି । ଅନ୍ୟପଟେ କେଉଁ ପୋଲିସ କର୍ମଚାରୀମାନେ ଏଥିରେ ଜଡିତ ଅଛନ୍ତି, ସେନେଇ ଚାଲିଛି ଛାନଭିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.