NEET UG ପାଇଁ ହଟିଲା ବୟସ ସୀମା, ଏବେ ସବୁ ପିଲା ଦେଇପାରିବେ ମେଡିକାଲ ପରୀକ୍ଷା

NEET UG ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ନିଟ୍‌ ସ୍ନାତକ ୨୦୨୨ ପରୀକ୍ଷାର ସର୍ବାଧିକ ବୟସ ସୀମାକୁ ହଟାଇ ଦିଆଯାଇଛି। ବୁଧବାର ଦିନ ନିଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ୨୦୧୭ ରେ ନିଟ୍‌ ପରୀକ୍ଷା ପାଇଁ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମାକୁ ୨୫ ବର୍ଷ ନିର୍ଦ୍ଧାରିତ କରିଥିବା ବେଳେ ସଂରକ୍ଷିତ ବର୍ଗଙ୍କ ବୟସ ସୀମା ୪୦ ବର୍ଷ ସ୍ଥିର କରିଥିଲେ। କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି।

ସିବିଏସ୍‌ଇ ପକ୍ଷରୁ କୁହାଯାଇଛି, ନିଟ୍‌-ୟୁଜି ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ଥିଲା। ସେହିଭଳି ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଥିଲା। କିନ୍ତୁ ଏବେ ସବୁ ବୟସ ସୀମାକୁ ହଟାଇ ଦିଆଯାଇଛି।

ଏହି ଘୋଷଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ବୟସ ସୀମାର ମାନଦଣ୍ଡକୁ ଉଠାଇ ଦେବା ପରେ ଏବେ ଆଶାୟୀ ପ୍ରାର୍ଥୀ ଅନେକ ଥର ମେଡିକାଲ ପରୀକ୍ଷାରେ ବସିପାରିବେ ଓ ଅନ୍ୟ ପାଠ୍ୟକ୍ରମରେ ଆଡ୍‌ମିଶନ୍‌ ନେଇଥିବା ପିଲା ବି ଏହି ପରୀକ୍ଷା ଦେଇପାରିବେ। ସରକାରଙ୍କ ଏହି ନିଷ୍ପତ୍ତି ବିଦେଶରେ ପଢ଼ୁଥିବା ପିଲାଙ୍କ ପାଇଁ ମଧ୍ୟ ସାହାଯ୍ୟକାରୀ ହେବ ବୋଲି ଅଧିକାରୀ କହିଛନ୍ତି।