ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଡକାଯାଇଥିବା ମହାପଞ୍ଚାୟତରେ ଜୋରଦାର ହଙ୍ଗାମା; ମଞ୍ଚ ଉପରେ ଚଢ଼ି ଘୋଷକଙ୍କ ଉପରକୁ ଚପଲ ଫିଙ୍ଗଲେ ମହିଳା

ରାଜଧାନୀ ଦିଲ୍ଲୀରେ ହିନ୍ଦୁ ଏକତା ମଞ୍ଚ ଦ୍ୱାରା ଶ୍ରଦ୍ଧା ହତ୍ୟାକାଣ୍ଡ ବିରୋଧରେ ଏକ ମହାପଞ୍ଚାୟତ ଡକାଯାଇଥିଲା, ଯେଉଁଠି ଜୋର୍ଦାର ହଙ୍ଗାମା ହୋଇଛି। ଜଣେ ମହିଳା ମଞ୍ଚ ଉପରେ ଚଢ଼ି ଘୋଷକଙ୍କୁ ଚପଲରେ ପିଟିଛନ୍ତି। ମହିଳାଙ୍କ କହିବା ଥିଲା ଯେ ତାଙ୍କ ଝିଅ ୫ ଦିନ ହେବ ଗାଏବ ଅଛି ଏବଂ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ମହିଳା ଅଭିଯୋଗ କରିଛନ୍ତି, ସେ ଯାହାଙ୍କୁ ମାରିଛନ୍ତି, ତାଙ୍କ ପୁଅ ତାଙ୍କ ଝିଅକୁ ଭଗେଇକି ନେଇଯାଇଛି ଏବଂ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଆକ୍ସନ ନେଇନି।
ସେପଟେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି କି, ମହାପଞ୍ଚାୟତ ଚାଲିଥିବା ବେଳେ ଜଣେ ମହିଳା ନିଜ ଅଭିଯୋଗ ଜଣାଇବା ପାଇଁ ମଞ୍ଚ ଉପରକୁ ଚଢ଼ୁଛନ୍ତି। ଯେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ମାଇକ୍ ସାମ୍ନାରୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି, ତ ମହିଳା ନିଜ ଚପଲ ଖୋଲି ତାଙ୍କୁ ପିଟିବାକୁ ଲାଗୁଛନ୍ତି। ଏହାପରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପରେ ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ଲୋକମାନେ ମଝିରେ ପଶି ମହିଳାଙ୍କୁ ରୋକୁଛନ୍ତି। ସେଠାରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ଥିଲେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମହାପଞ୍ଚାୟତ ଦିଲ୍ଲୀର ଛତରପୁରରେ ହେଉଥିଲା।
କହି ରଖୁଛୁ, ନିକଟରେ ଶ୍ରଦ୍ଧା ହତ୍ୟାକାଣ୍ଡ ପୂରା ଦେଶକୁ ଦୋହଲାଇ ଦେଇଛି। ଆଫ୍ତାବ ୧୮ ମେ’ରେ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିବା ପରେ ତାଙ୍କୁ ୩୫ ଖଣ୍ଡ କରିଥିଲେ। ଉଭୟ ମେ’ ୮ରୁ ଦିଲ୍ଲୀର ମହରୌଲୀରେ ଏକ ଫ୍ଲାଟ୍ରେ ଲିଭ୍ ଇନରେ ରହୁଥିଲେ। ୧୮ ତାରିଖରେ ଶ୍ରଦ୍ଧା ଓ ଆଫ୍ତାବଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଆଫ୍ତାବ ତାଙ୍କୁ ହତ୍ୟା କରିଥିଲେ। ସେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଏକ ବଡ଼ ଫ୍ରିଜ୍ରେ ରଖିଥିଲେ। ଅଭିଯୋଗ ମୁତାବକ, ଆଫ୍ତାବ ପ୍ରତ୍ୟେକ ଦିନ ମାଂସ ଖଣ୍ଡଗୁଡ଼ିକୁ ନେଇ ଦିଲ୍ଲୀର ଜଙ୍ଗଲରେ ଫିଙ୍ଗି ଦେଇ ଆସୁଥିଲେ।
କହି ରଖୁଛୁ, ଏହି ମାମଲାରେ ପୋଲିସକୁ ଆଜି ପର୍ଯ୍ୟନ୍ତ ମୃତାଙ୍କ ଖପୁରୀ, ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଏବଂ ବ୍ୟବହୃତ ଅସ୍ତ୍ର ମିଳିପାରି ନାହିଁ।