UPSC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ, ଦର୍ଶାଇଲେ ବ୍ୟକ୍ତିଗତ କାରଣ

ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନୀ ବ୍ୟକ୍ତିଗତ କାରଣ ଯୋଗୁଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଜୁନ୍‌ ୨୯ ତାରିଖରୁ ଇସ୍ତଫା ଦେଇଥିଲେ, ଯାହାକୁ ଅଫିସିଆଲ ଭାବେ ଗ୍ରହଣ କରାଯାଇନଥିଲା । ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା । ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ରେ ସମାପ୍ତ ହେବାର ଥିଲା । କିନ୍ତୁ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସେ ୨୦୧୭ରେ ୟୁପିଏସସି ସଦସ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୨୦୨୩ରେ ଅଧ୍ୟକ୍ଷ ହୋଇଥିଲେ । ସୋନୀ ଏବେ ଗୁଜରାଟର ଅନୁପମ ମିଶନରେ ଅଧିକ ସମୟ ଦେବାକୁ ଚାହୁଁଛନ୍ତି । ବର୍ତ୍ତମାନ ୟୁପିଏସସି ପରୀକ୍ଷାରେ ଜାଲ୍ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି ।

ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି । ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି ।

ମନୋଜ ସୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଓ ଖାସ୍ ଲୋକ ବୋଲି ଜଣାଯାଇଛି । ଏଥିଯୋଗୁ ୟୁପିଏସ୍ସି ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ଗୁଜରାଟର ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ସାରିଛନ୍ତି । ତେବେ ସେ ବ୍ୟକ୍ତିଗତ କାରଣ ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି ।