ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣା: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ୍‌

ଏୟାର ଇଣ୍ଡିଆ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାର ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍‌ ହରଜ୍ୟୋତ୍‌ ସିଂ ଭଲ୍ଲା ୧ ଲକ୍ଷ ଟଙ୍କା ଜାମିନ୍‌ ବଣ୍ଡ୍‌ରେ ଶଙ୍କର ମିଶ୍ରାଙ୍କୁ ଜାମିନ୍‌ ଦେଇଛନ୍ତି।

ସୂଚନାଥାଉ କି, ଏୟାର ଇଣ୍ଡିଆ ବିମାନରେ ୨୬ ନଭେମ୍ବର, ୨୦୨୨ରେ ଏହି ଘଟଣା ଘଟିଥିଲା। ସହଯାତ୍ରୀଙ୍କ ଉପରେ ପରିସ୍ରା ଘଟଣାକୁ ନେଇ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଅଭିଯୁକ୍ତ ଶଙ୍କର ମିଶ୍ରା ଜାମିନ୍‌ ଆବେଦନ କରିଥିଲେ।

୨୬ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାଗ୍ରସ୍ତ ଅବସ୍ଥାରେ ଶଙ୍କର ମିଶ୍ରା ବିଜନେସ୍‌ କ୍ଲାସ୍‌ରେ ବସିଥିବା ୭୦ ବର୍ଷୀୟା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହି ମାମଲାରେ ପୋଲିସ ୭ ଜାନୁୟାରୀରେ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା।

ଘଟଣାର ୪୨ ଦିନ ପରେ ତାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇର ବାସିନ୍ଦା ଶଙ୍କର ଲଗାତାର ଫେରାର୍‌ ରହୁଥିଲେ, ଯେଉଁ କାରଣରୁ ତାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରାଯାଇଥିଲା। ପରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଆଧାରରେ ତାଙ୍କୁ ଗିରଫ କରିଥିଲା। ପୋଲିସ ତାଙ୍କ ବିରୋଧରେ ଆଇପିସି ଧାରା ୩୫୪, ୨୯୪, ୫୦୯, ୫୧୦ ଅଧୀନରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଏୟାରଲାଇନ କମ୍ପାନୀ ଅଭିଯୁକ୍ତଙ୍କ ଉପରେ ୪ ମାସର ପ୍ରତିବନ୍ଧକ ଲଗାଇଛି।

Leave A Reply

Your email address will not be published.