ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଛାଡ଼ିଲେ ଉର୍ଜିତ, ସରକାରଙ୍କୁ ଥ୍ୟାଙ୍କ ୟୁ ବି କହିଲେନି : ଇସ୍ତଫାର କାରଣ ଓ ଟାଇମିଂକୁ ନେଇ ଚର୍ଚ୍ଚା

ସିବିଆଇ ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ବିବାଦୀୟ ସ୍ଥିତି । ଆରବିଆଇ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ସବୁଠି । ବେଶି ଆଲୋଚନା କାର୍ଯ୍ୟକାଳ ସରିବା ଆଗରୁ କାହିଁକି ତତ୍କାଳ ଗଭର୍ଣ୍ଣର ପଦରୁ ଅବ୍ୟାହତି ନେଲେ ଉର୍ଜିତ୍‌ । ଯଦିଓ ଇସ୍ତାଫାର କାରଣ ସେ ବ୍ୟକ୍ତିଗତ ବୋଲି ସ୍ପଷ୍ଟ କରିଛନ୍ତି । ତଥାପି ନାନା କଥା ଉଠୁଛି । ବିତର୍କ ବି ଆରମ୍ଭ ହୋଇଛି । କୁହାଯାଉଛ ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା, କ୍ୟାସ୍ ଫ୍ଲୋ ଓ ସୁଧହାର ହ୍ରାସ ନକରିବାକୁ ନେଇ କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାହାରକୁ କିଛି ଜଣା ପଡୁନଥିଲେ ବି ଭିତରେ ଗଡ଼ବଡ଼ ଥିଲା । ଏମିତି ବି ଆସନ୍ତା ବର୍ଷ ସେପଟେମ୍ବର ମାସରେ ଉର୍ଜିତ ପଟେଲଙ୍କ କଣ୍ଟ ପୂରୁଥିଲା । ପାଖାପାଖି ଆହୁରି ବର୍ଷେ ବାକି ଥିଲା । କେନ୍ଦ୍ର ସରକାରଙ୍କ ସହ ଅପଡ଼ ହେଲା କି ? ଯେଉଁଥିପାଇଁ ସେ ବାଧ୍ୟ ହେଲେ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ? ଏହି ଚର୍ଚ୍ଚା ଏବେ ପାଓ୍ୱାର କରିଡରରୁ ଆରମ୍ଭ କରି ଶିଳ୍ପ ଓ ବାଣିଜ୍ୟ ଜଗତରେ ।

URJIT PATEL-1

ସରକାରଙ୍କୁ ଧନ୍ୟବାଦ ବି ଦେଲେନି

ନିଜ ଇସ୍ତଫାପତ୍ରରେ ଉର୍ଜିତ ପଟେଲ ଆରବିଆଇର ସାଥୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । କିନ୍ତୁ ସରକାରଙ୍କ ବିଷୟରେ ପଦୁଟିଏ ବି କହି ନାହାନ୍ତି । ଏମିତିକିଧନ୍ୟବାଦ ବି ନାହିଁ । ଅଚାନକ ଇସ୍ତଫା ବି ବିଶ୍ୱାସଯୋଗ୍ୟ ହେଉ ନାହିଁ । କାରଣ ଗତ କିଛି ମାସ ହେବ ଉର୍ଜିତ ପଟେଲଙ୍କ ଇସ୍ତଫା ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲା ।

ସମୟ ଦେଖି ଝଟକା ଦେଲେ

ଏମିତି ସମୟରେ ଉର୍ଜିତ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି, ଯେତେବେଳେ ଦେଶରେ ରାଜନୈତିକ ଉଷ୍ଣତା ରହିଛି । ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆଜି (୧୧-୧୨-୨୦୧୮) ପ୍ରକାଶ ପାଇବ । ଏପଟେ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଆସନ୍ତା ୧୪ ତାରିଖରେ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ବସିବାର ଥିଲା । ସେହିପରି ଦିଲ୍ଲୀ ଦରବାରରେ ଏକାଠି ହୋଇଛନ୍ତି ବିଜେପି ବିରୋଧୀ ଶକ୍ତି । କଂଗ୍ରେସ ସମେତ ୨୧ଟି ବିଜେପି ବିରୋଧୀ ଦଳ ଏକାଠି ମହାମେଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଯୋଜନା କରୁଛନ୍ତି । ୨୦୧୯ରେ କେନ୍ଦ୍ରରେ କେମିତି ମୋଦି ଶକ୍ତିକୁ ଅଟକାଇବେ ସେଥିପାଇଁ ହାତ ମୁଠା ଟାଣ କରୁଛନ୍ତି ବିରୋଧୀ । ଠିକ୍ ଏତିକିବେଳେ କେନ୍ଦ୍ରୀୟ ବ୍ୟାଙ୍କର ଟପ୍ ପୋଜିସନରୁ ଇସ୍ତଫା ଘୋଷଣା କଲେ ଉର୍ଜିତ ପଟେଲ୍ । ବିରୋଧୀଙ୍କୁ ଏହା ଗୋଟିଏ ମଉକା ନୁହେଁ ତ ଆଉ କଣ । ସଂସଦରେ ଘେରିବାକୁ ମସଲା ମିଳିଗଲା । ସିବିଆଇ କଳି ପରେ ଆରବିଆଇ ଫନ୍ଦିରେ ଏବେ ଫସିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ବି ଆରବିଆଇ ମାମଲାରେ ସରକାର ମୁଣ୍ଡ ପୂରାଉଥିବା ଚର୍ଚ୍ଚା ବେଶ ଜୋର ଧରିଥିଲା ।

ସରକାର ବନାମ ଆରବିଆଇ

ଉର୍ଜିତ ପଟେଲଙ୍କ ଇସ୍ତଫା ଠିଆ କରିଛି ଅନେକ ଅସମାହିତ ପ୍ରଶ୍ନ । ବ୍ୟକ୍ତିଗତ କାରଣ ନା ଏହା ପଛରେ ଆଉ କିଛି ଭିତିରିଆ ରହସ୍ୟ ରହିଛି । ସତରେ କଣ ସରକାର ଆରବିଆଇର କାର୍ଯ୍ୟଶୈଳୀ ଉପରେ ହସ୍ତକ୍ଷେପ କରୁଥିଲେ ? ଆରବିଆଇର ସ୍ୱାୟତ୍ତତା କଣ ନଷ୍ଟ ହେଉଥିଲା ? ଗତ ଅକ୍ଟୋବର ମାସରେ ମୁଣ୍ଡ ଟେକିଥିଲା ସରକାର ବନାମ ଆରବିଆଇ ବିବାଦ । ୨୬ ଅକ୍ଟୋବରରେ ଆରବିଆଇ ଡେପୁଟୀ ଗଭର୍ଣ୍ଣର ଡକ୍ଟର ବିରଳ ଆଚାର୍ଯ୍ୟଙ୍କ କେଇ ପଦ କଥା କେନ୍ଦ୍ର ସରକାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ମୁମ୍ବାଇର ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସେ କହିଥିଲେ, ସରକାର ଆରବିଆଇ ସ୍ୱାୟତତ୍ତାକୁ ସମ୍ମାନ ଦେଉ ନାହାନ୍ତି । ଏହାର ପରିଣାମ ଭୟଙ୍କର ହୋଇପାରେ ।
୨୦୧୦ରେ ନେଦରଲ୍ୟାଣ୍ଡସରେ କ୍ଷମତାସୀନ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବିବାଦ ଯୋଗୁ କିଭଳି ଆର୍ଥିକ ଅସ୍ଥିରତାର ସୃଷ୍ଟି ହୋଇଥିଲା ସେହି ଉଦାହରଣ ବି ଦେଇଥିଲେ ବିରଳ ଆଚାର୍ଯ୍ୟ । ସଂସ୍ଥାର ଟପ୍ ଟୁ ଅଫିସରଙ୍କ ଏଭଳି ମନ୍ତବ୍ୟ ପରେ ଆରବିଆଇ ଓ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳଯୁଦ୍ଧ । ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ବା ଏଆଇଆରବିଇଏ ମଧ୍ୟ ଏକ ପ୍ରେସ ରିଲିଜରେ ଡେପୁଟୀ ଗଭର୍ଣ୍ଣରଙ୍କୁ ସମର୍ଥନ କରିଥିଲା ।

ସରକାରଙ୍କ ଟି-୨୦ ବନାମ ଆରବିଆଇର ଟେଷ୍ଟ

ଡେପୁଟୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କହିଥିଲେ, ସରକାର ଟି-୨୦ ମ୍ୟାଚ୍ ଖେଳିବାକୁ ଚାହାନ୍ତି । କାରଣ ଯିଏ ଶାସନକୁ ଆସେ ୫ ବର୍ଷ ପାଇଁ ରହେ। ସରକାର ଚାହାନ୍ତି ଆରବିଆଇ ଏମିତି କାମ କରୁ ଯେଉଁଥିରେ ଲୋକଙ୍କୁ ତୁରନ୍ତ ଫାଇଦା ମିଳିବ । ଦେଶର ଅର୍ଥ ବ୍ୟବସ୍ଥା ଉପରମୁହାଁ ହେଉ । ମୁଦ୍ରା ନୀତି ଏମିତି ହେଉ ସେଇଥିରେ ସରକାରଙ୍କ ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ପୂରଣ ହେଉଥିବ । କିନ୍ତୁ ଆରବିଆଇ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଚାହେଁ ବୋଲି କହିଥିଲେ ବିରଳ ଆଚାର୍ଯ୍ୟ । ଦୀର୍ଘ ମିଆଦି ଯୋଜନା ଉପରେ ଗୁରୁତ୍ବ ଦେଇଥାଏ ।

VIRAL ACHARYA
ବିରଳ ଆଚାର୍ଯ୍ୟ

ବିବାଦର ୩ଟି ପ୍ରମୁଖ କାରଣ

ଏବେ ନଜର ପକାଇବା ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବିବାଦର ତିନିଟି ପ୍ରମୁଖ କାରଣ ଉପରେ

୧. ବ୍ୟାଙ୍କ ଉପରେ ବ୍ରେକ୍
ଆରବିଆଇ ହେଉଛି ସରକାର ଓ ବ୍ୟାଙ୍କ ସମୂହର ବ୍ୟାଙ୍କ । ତେଣୁ ଦେଶରେ ବ୍ୟାଙ୍କିଂ ସେକ୍ଟରରେ ସୁଧାର ପାଇଁ ଚଳିତ ବର୍ଷ ଆରବିଆଇ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପର୍ଯ୍ୟାପ୍ତ ପୁଞ୍ଜି ନଥାଇ ସୀମା ଉଲ୍ଲଂଘନ କରି ଅଧିକ ଋଣ ଦେଉଥିବା ୧୧ଟି ବ୍ୟାଙ୍କର ତାଲିକା ପ୍ରସ୍ତୁତ କରିଥିଲା ଆରବିଆଇ । ସେମାନଙ୍କ କ୍ଷେତ୍ରରେ କଠୋର ନିୟମ ଲାଗୁ କରିଥିଲା । ଋଣ ଦେବା ଉପରେ ଲାଗିଥିଲା କଟକଣା । ଶାଖା ଖୋଲିବାକୁ ମିଳିଲାନି ଅନୁମତି । ବୋନସ୍ ଦେବା ବନ୍ଦ ବି କଲା ଆରବିଆଇ । ଉଦ୍ଦେଶ୍ୟ ଥିଲା, ସେସବୁ ବ୍ୟାଙ୍କ ନିଜ ନିଜର ପୁଞ୍ଜି ବଢ଼ାଇବେ । ଆରବିଆଇର ଏଭଳି କଠୋର ଆଭିମୁଖ୍ୟରେ ନାଖୁସ ଥିଲେ ସରକାର । ଫାଟ ବଢ଼ିଥିଲା ।
୨. ଏନବିଏଫସିକୁ ଅନୁକମ୍ପା ମିଳିଲା ନାହିଁ

NBFCଦେଶରେ ଏମିକି କିଛି କମ୍ପାନୀ ଅଛନ୍ତି, ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଋଣ ଭାରରେ ବୁଡ଼ିଛନ୍ତି । ସରକାର ଚାହୁଁଥିଲେ ଏମିତି କିଛି କମ୍ପାନୀଙ୍କ ଆର୍ଥିକ ବୋଝକୁ ହାଲୁକା କରୁ ଆରବିଆଇ । କିନ୍ତୁ ମାନିବାକୁ ରାଜି ନଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ବାରମ୍ବାର ନିୟମ ପରିବର୍ତ୍ତନ ମୁଡ୍‌ରେ ନଥିଲେ ଉର୍ଜିତ ପଟେଲ୍ । ନନ୍ ବ୍ୟାଙ୍କିଂ ଫାଇନାନସିଆଲ୍ କମ୍ପାନୀଙ୍କ କ୍ଷେତ୍ରରେ କଡ଼ା ପ୍ରତିବନ୍ଧକ ଲାଗିଥିଲା । ସରକାର ଆଶଙ୍କା କରୁଥିଲେ, ଆରବିଆଇର ଏଭଳି ନିଷ୍ପତ୍ତି ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତିଙ୍କୁ ଋଣ ମିଳିବ ନାହିଁ । ଆଗକୁ ନିର୍ବାଚନ ଥିବାରୁ ସରକାରଙ୍କ ପାଇଁ ଏହା ନକାରାତ୍ମକ ସାବ୍ୟସ୍ତ ବି ହୋଇପାରେ ।
୩. ଆରବିଆଇ ଆକ୍ଟ ସେକ୍ସନ-୭

କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ସୂତ୍ରପାତର ଆଉ ଏକ କାରଣ ହୋଇଥିଲା ଆରବିଆଇ ଆକ୍ଟର ଧାରା-୭ । ଏହି ଧାରା ଅନୁସାରେ କେନ୍ଦ୍ର ସରକାର ଲୋକଙ୍କ ହିତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆରବିଆଇକୁ କିଛି ନିର୍ଦ୍ଦେଶ ଦେଇପାରିବେ । ଏଯାଏଁ ସ୍ୱାଧୀନ ଭାରତରେ ଏହି ନିୟମ ଲାଗୁ ହୋଇ ନାହିଁ । ନିକଟରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିଥିବା ଚର୍ଚ୍ଚା ହେଉଥିଲେ ବି ସତ କଣ ଜଣା ପଡ଼ି ନାହିଁ । ଆରବିଆଇ ଆକ୍ଟର ଧାରା-୭ ଲାଗୁ ହେଲେ ଅନେକ କିଛି ବଦଳିଯିବ । ଆରବିଆଇର କାର୍ଯ୍ୟ ପ୍ରଣାଳୀ ସେଣ୍ଚ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟରଙ୍କୁ ହସ୍ତାନ୍ତର କରାଯିବ । ସେମାନେ ଆରବିଆଇ କ୍ଷମତା ପରିସରଭୁକ୍ତ ହୋଇ ସମସ୍ତ କାମ କରିପାରିବେ ।

କ’ଣ ପଡ଼ିବ ପ୍ରଭାବ

– ବିଶେଷଜ୍ଞଙ୍କ କହିବା ଅନୁସାରେ ଉର୍ଜିତ ପଟେଲଙ୍କ ଇସ୍ତଫା ଭାରତ ଓ ଅର୍ଥ ବ୍ୟବସ୍ଥା ପ୍ରତି ଏକ ନକାରାତ୍ମକ ଖବର । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତର ଛବି ମଳିନ ପଡ଼ିବ । ବିଦେଶୀ ସଂସ୍ଥାଗତ ନିବେଶକ ଏହାକୁ ସକାରାତ୍ମକ ଦୃଷ୍ଟୀଭଙ୍ଗୀରେ ନେବେ ନାହିଁ । କାରଣ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ବିଶ୍ୱସନୀୟତା ନେଇ ପ୍ରଶ୍ନବାଚୀ ଉଠିଛି ।

RBI
– କେନ୍ଦ୍ରରେ ଏନଡିଏ ସରକାରଙ୍କ ୪ ବର୍ଷର ଶାସନ ଭିତରେ ଦୁଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ଓ ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳରେ ଅନେକ କିଛି ଘଟଣା ଘଟିଛି । ସରକାର ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ କରୁଥିବା ବିବାଦ ଭିତରେ ଉର୍ଜିତଙ୍କ ଇସ୍ତଫା ଭାରତରେ ପୁଞ୍ଜି ଖଟାଇ କାରବାର ବୃଦ୍ଧି ଲକ୍ଷ୍ୟ ରଖିଥିବା ବିଦେଶୀ ନିବେଶକଙ୍କୁ ନକାରାତ୍ମକ ବାର୍ତ୍ତା ଦେଉଛି ।
– ଗତ କିଛି ମାସ ହେବ ସେୟାର ବଜାରରେ ମାନ୍ଦାବସ୍ଥା ଦେଖା ଦେଇଛି । କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତକୁ ନେଇ ବହୁତ ସକାରାତ୍ମକ ନୁହନ୍ତି । ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ହାର ୭.୨କୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି । ଏଭଳି ସମୟରେ ଉର୍ଜିତ ପଟେଲଙ୍କ ଇସ୍ତଫା ରେଟିଂ ଏଜେନ୍ସିଗୁଡ଼ିକୁ ଅଧିକ ଆଶ୍ଚର୍ଯ୍ୟ ଚକିତ କରିବ ।
– ଆରବିଆଇ ଉଦ୍ୟମ ପରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ଆସିଥିଲା । ଉର୍ଜିତ ପଲେଟଙ୍କ ଇସ୍ତଫା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଓ ବ୍ରାଣ୍ଡ ମାର୍କେଟ ଉପରେ ପଡ଼ିବା ଆଶଙ୍କା କରାଯାଉଛି ।

ଅଧାରୁ ଇସ୍ତଫା ଦେଇଥିବା ଆରବିଆଇ ଗଭର୍ଣ୍ଣର

ଆରବିଆଇରେ କାର୍ଯ୍ୟକାଳ ପୂରା କରିବା ପର୍ଯ୍ୟନ୍ତ ତିଷ୍ଠି ପାରିଲେ ଉର୍ଜିତ ପଟେଲ । ଆରବିଆଇ ଇତିହାସରେ କାର୍ଯ୍ୟକାଳ ଭିତରେ ଇସ୍ତଫା ଦେଇଥିବା ଚତୁର୍ଥ ଗଭର୍ଣ୍ଣର ହେଉଛନ୍ତି ଉର୍ଜିତ ପଟେଲ୍ । ୧୯୯୨ ମସିହା ପରେ ଏହା ଦ୍ୱିତୀୟ ଘଟଣା । ୧୯୫୭ରେ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣମାଚାରୀଙ୍କ ସହ ମତଭେଦ କାରଣରୁ ପଦ ଛାଡ଼ିଥିଲେ ତତ୍କାଳୀନ ଗଭର୍ଣ୍ଣର ବେନେଗଲ ରାମା ରାଉ । ୧୯୭୭ରେ କେ. କେ. ପୁରୀ ଇସ୍ତଫା ଦେଇଥିଲେ । ସେହିପରି ୧୯୯୨ରେ କାର୍ଯ୍ୟକାଳ ପୂରିବା ଆଗରୁ ଗଭର୍ଣ୍ଣର ପଦ ଛାଡ଼ିଥିଲେ ଏସ୍. ଭେଙ୍କିଟରମଣ । ତେବେ ତା ପରଠୁ ଆରବିଆଇରେ ନିଯୁକ୍ତ ସମସ୍ତ ଗଭର୍ଣ୍ଣର ନିଜ କାର୍ଯ୍ୟକାଳ ପୂରା କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଆର୍. ଏନ୍. ମାଲହୋତ୍ରା, ସି. ରଙ୍ଗରାଜନ୍, ବିମଳ ଜଲାନ୍, ଓ୍ୱାଇ. ଭି. ରେଡ୍ଡି, ଡି. ସୁବାରଓ ।
ଏବେ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀଙ୍କ ଅର୍ଥ ପରାମର୍ଶଦାତା କମିଟିରେ ସଦସ୍ୟ ଥିବା ସୁରଜିତ ଭଲ୍ଲା ମଧ୍ୟ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ତେବେ ଉର୍ଜିତ ପଟେଲଙ୍କ ଇସ୍ତଫା ବର୍ତ୍ତମାନ ଭାରତୀୟ ରାଜନୀତି ଓ ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି ତା ଉପରେ ଦେଶର ବୁଦ୍ଧିଜୀବୀଙ୍କ ତୀକ୍ଷଣ ନଜର ରହିଛି । କାରଣ ଏହାର ଉଭୟ କ୍ଷେତ୍ରରେ ଭୂକମ୍ପ ସୃଷ୍ଟି କରିବାର ଆଶଙ୍କା ରହିଛି ।

ରିପୋର୍ଟ- ଅଜିତ୍ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.