ନିଆରା ବିଶ୍ୱ ରେକର୍ଡ ! ୫୦୦ କିଲୋ କଖାରୁରେ ତିଆରି କଲେ ଡଙ୍ଗା, ନଦୀରେ ୭୦ କିମି ଯାତ୍ରା କଲେ ଏହି ବ୍ୟକ୍ତି

ଆମେରିକାର ଜଣେ ବ୍ୟକ୍ତି ଏକ ନିଆରା ରେକର୍ଡ କରିଛନ୍ତି । ବ୍ୟକ୍ତି ଜଣକ କଖାରୁ ଡଙ୍ଗାରେ ବସି ରେକର୍ଡ ଦୂରତା ଅତିକ୍ରମ କରିଛନ୍ତି ଏବଂ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଆମେରିକାର ଗୈରୀ କ୍ରିଷ୍ଟେନସନ ନାମକ ବ୍ୟକ୍ତି ପ୍ରଥମେ ୫୦୦ କିଲୋର ଏକ କଖାରୁ ନିଜ ବାଡ଼ିରେ ଫଳାଇଥିଲେ । ଏହାପରେ ସେଥିରେ ସେ ବିଶାଳ ଡଙ୍ଗା ତିଆରି କରିଥିଲେ । କ୍ରିଷ୍ଟେନସନ ୱାଶିଂଟନର କଲମ୍ବିଆ ନଦୀ କୂଳରେ ୭୩.୫ କିଲୋମିଟର ଯାତ୍ରା କରିଥିଲେ । ଏମିତି କରି ସେ କଖାରୁ ଡଙ୍ଗାରେ ସବୁଠାରୁ ଦୀର୍ଘ ଯାତ୍ରାର ରେକର୍ଡ ସୃଷ୍ଟି କରିଛନ୍ତି ।

୪୬ ବର୍ଷୀୟ କ୍ରିଷ୍ଟେନସନଙ୍କୁ ସ୍ୱବିକଶିତ ଡଙ୍ଗାରେ ନଦୀ ପାର୍ ହେବାରେ ୨୬ ଘଣ୍ଟା ସମୟ ଲାଗିଥିଲା । ଏହି କଖାରୁ ଡଙ୍ଗାର ନାମ ସେ ‘ଫଙ୍କି ଲୋଫଷ୍ଟର୍’ ରଖିଛନ୍ତି । ଫଙ୍କି ଲୋଫଷ୍ଟରର ଆକାର ୧୪ ଫୁଟ୍ ହୋଇଥିବା ବେଳେ ଓଜନ ୫୫ କିଲୋଗ୍ରାମରୁ ଅଧିକ । ଅକ୍ଟୋବର ୧୧ରୁ ହିଁ ସେ କଖାରୁକୁ ଡଙ୍ଗାର ଆକାର ଦେବା ଆରମ୍ଭ କରିଥିଲେ ।

ନିଜ ହାତ ତିଆରି କଖାରୁ ଡଙ୍ଗାରେ ଗୈରୀ କ୍ରିଷ୍ଟେନସନ ଏକ କ୍ୟାମେରା ମଧ୍ୟ ଲଗାଇଥିଲେ । ୨୦୧୧ ମସିହାରୁ ସେ ଏହି କଖାରୁକୁ ବଢ଼ାଉଥିଲେ । ଏଭଳି ନିଆରା କାର୍ଯ୍ୟ ପାଇଁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଏହା ପୂର୍ବରୁ ଆମେରିକାର ନେବ୍ରାସ୍କାରେ ରହୁଥିବା ଡୁଆନେ ହେନସେନ ମଧ୍ୟ କଖାରୁ ଡଙ୍ଗା ତିଆରି କରି ଏଥିରେ ଯାତ୍ରା କରିସାରିଛନ୍ତି । ତାଙ୍କର ବି ଗୈରୀ କ୍ରିଷ୍ଟେନସନଙ୍କ ଭଳି ସଉକ ରହିଛି । ବଡ଼ କଖାରୁ, ଲାଉ ଏବଂ ଅନ୍ୟାନ୍ୟ ପନିପରିବା ଫଳାଇବାକୁ ତାଙ୍କୁ ଭଲ ଲାଗିଥାଏ ।

You might also like