ଆମେରିକାରୁ ୧୦୪ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଲ୍ୟାଣ୍ଡ

ଆମେରିକାର ସାମରିକ ବିମାନ C-17 ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଛି । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ବିମାନରେ ୧୦୪ ଜଣ ଭାରତୀୟ ଅଛନ୍ତି । ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି । ଏଠାରେ ପୋଲିସ ଏବଂ ପ୍ରଶାସନ ସଜାଗ ରହିଛନ୍ତି ।

ବିମାନବନ୍ଦରରେ ଥିବା ଆମେରିକୀୟ ଦୂତାବାସର ଜଣେ ଅଧିକାରୀ କହିଛନ୍ତି, ବିମାନରେ ମୋଟ ୧୦୪ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ପିଲା, ୭୯ ଜଣ ପୁରୁଷ ଏବଂ ୨୫ ଜଣ ମହିଳା । ଏହି ଭାରତୀୟମାନଙ୍କ ମଧ୍ୟରୁ ୩୩ ଜଣ ହେଉଛନ୍ତି ଗୁଜରାଟର ନିବାସୀ । ଏମାନେ ଅମୃତସର ଏୟାରପୋର୍ଟ ପରିସରରେ ରହିବେ ଏବଂ ଏଠାରୁ ହିଁ ସିଧା ସେମାନଙ୍କୁ ଗୁଜରାଟ ପଠାଯିବ ।

ସୂଚନା ମୁତାବକ, ଆମେରିକାରୁ ନିର୍ବାସିତ ଭାରତୀୟମାନଙ୍କୁ ମେକ୍ସିକୋ-ଆମେରିକା ସୀମାରୁ ଧରାଯାଇଥିଲା । ଏହି ଭାରତୀୟମାନେ ଅବୈଧ ଭାବରେ ଭାରତ ଛାଡ଼ିଥିଲେ । କିନ୍ତୁ ସେମାନେ ଡଙ୍କି ରୁଟ୍ ଜରିଆରେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ଆମେରିକାରୁ ୧୦୪ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ୟୁଏସ୍ ଏୟାରଫୋର୍ସର C-17 ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟ ଟେକ୍ସାସ୍ ନିକଟ ସୈନ୍ୟ ଆଡ୍ଡାରୁ ଉଡ଼ାଣ ଭରିଥିଲା ।

ଟ୍ରମ୍ପ ସରକାର ଅବୈଧ ପ୍ରବାସୀଙ୍କୁ ପରିବହନ କରିବା ପାଇଁ ସାମରିକ ବିମାନ ବ୍ୟବହାର କରିଆସୁଛନ୍ତି । ପୂର୍ବରୁ ଆମେରିକୀୟ ସାମରିକ ବିମାନ ଯୋଗେ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସକୁ ମଧ୍ୟ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଭାରତ ବିପକ୍ଷରେ ଟ୍ରମ୍ପଙ୍କ ବଡ଼ ଆକ୍ସନ, ବେଆଇନ ଭାବେ ରହୁଥିବା ଭାରତୀୟକୁ ଧରି ଉଡାଣ ଭରିଲା c-17 ବିମାନ

You might also like