ଆମେରିକା: ୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଆଲାସ୍କାରେ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ

ଆମେରିକାରେ ଏକ ବେରିଙ୍ଗ୍ ଏୟାର ଫ୍ଲାଇଟ୍ ଗୁରୁବାର ଦ୍ଵିପ୍ରହରରେ ଆଲାସ୍କାର ନୋମ୍ ନିକଟରେ ନିଖୋଜ ହୋଇଯାଇଛି । ଏଥିରେ ୧୦ ଜଣ ଯାତ୍ରୀ ଥିଲେ । ଏହି ବିମାନ ଆଲାସ୍କାର ଉନ୍ନାଲକ୍ଲିଟ୍ ସହରରୁ ଦ୍ଵିପ୍ରହର ୨ଟା ୩୭ ମିନିଟ୍ (ସ୍ଥାନୀୟ ସମୟ)ରେ ଉଡ଼ାଣ ଭରିଥିଲା । ଏହାପରେ ୩ଟା ୧୬ ମିନିଟରେ ଏହା ହଠାତ୍ ରାଡାରରୁ ଗାଏବ ହୋଇଯାଇଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘Flightradar24’ର ଡାଟାରୁ ଏହି ସୂଚନା ମିଳିଛି ।

ନିଖୋଜ ବିମାନଟି ଏକ ସେସନା ୨୦୮ବି ଗ୍ରାଣ୍ଡ କାରାଭାନ୍ ଥିଲା । ଏଥିରେ ଜଣେ ପାଇଲଟଙ୍କ ସମେତ ୧୦ ଜଣ ଲୋକ ଥିଲେ । ସର୍ଚ୍ଚ ଅପରେସନ ଚାଲିଥିବା ଆଲାସ୍କାର ଜନ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ କହିଛି ଯେ ନୋମ୍ ଏବଂ ହ୍ୱାଇଟ୍ ମାଉଣ୍ଟେନ୍ସରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୂମିରେ ସନ୍ଧାନ କରାଯାଉଛି । ଖରାପ ପାଗ ଯୋଗୁ ବର୍ତ୍ତମାନ ପାଇଁ ଆକାଶ ମାର୍ଗରେ ସନ୍ଧାନ କାର୍ଯ୍ୟକୁ ବନ୍ଦ ରଖାଯାଇଛି ।

ଛୋଟ ଟର୍ବୋପ୍ରପ୍ ସେସନା କାରାଭାନ୍ ବିମାନରେ ମୋଟ ୧୦ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୯ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍ ଥିଲେ । ଟିମ୍ ବର୍ତ୍ତମାନ ବିମାନର ଶେଷ ଲୋକେସନ ଖୋଜିବାକୁ ଚେଷ୍ଟା କରୁଛି ।

ଆମେରିକା ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅକ୍ୟୁପେସନାଲ୍ ସେଫ୍ଟି ଆଣ୍ଡ୍ ହେଲଥ ଅନୁସାରେ, ଆମେରିକାର ବାକି ରାଜ୍ୟ ତୁଳନାରେ ଆଲାସ୍କାରେ ଏୟାର ଟ୍ୟାକ୍ସି ଏବଂ ଛୋଟ ବିମାନଗୁଡ଼ିକର ଦୁର୍ଘଟଣା ଅଧିକ ହେଉଛି । ଆଲାସ୍କାରେ ପାହାଡ଼ିଆ ଅଞ୍ଚଳ ସାଙ୍ଗକୁ ଜଳବାୟୁ କଷ୍ଟକର ହୋଇଥାଏ । ଏଠାକାର ଅନେକ ଗାଁ ସଡ଼କ ଦ୍ୱାରା ସଂଯୁକ୍ତ ନୁହେଁ, ତେଣୁ ଲୋକ ଏବଂ ସାମଗ୍ରୀ ପରିବହନ ପାଇଁ ଛୋଟ ବିମାନ ବ୍ୟବହାର କରାଯାଏ ।

ବେରିଙ୍ଗ୍ ଏୟାର ଆଲାସ୍କାର ଏକ ଆଞ୍ଚଳିକ ଏୟାରଲାଇନ୍ । ଏହା ପାଖାପାଖି ୩୯ ବିମାନ ଏବଂ ହେଲିକପ୍ଟର ପରିଚାଳନା କରେ । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘Flightradar24’ର ଡାଟାରେ ଏହି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତି ୧୪୨ ଜଣ ଯାତ୍ରୀ