ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବର୍ଷକୁ ଦେଉଥିଲେ ମାତ୍ର ୭୫୦ ଡଲାର ଟ୍ୟାକ୍ସ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ଦସ୍ତାବିଜ ତଥ୍ୟ ସାମ୍ନାକୁ ଆସିବା ପରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି । ଟ୍ରମ୍ପ୍ ୨୦୧୬ ଏବଂ ୨୦୧୭ ମସିହାରେ ପ୍ରତିବର୍ଷ ୭୫୦ ଡଲାର ଟ୍ୟାକ୍ସ ଆମେରିକାରେ ଦେଇଥିଲେ । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଖବର ମୁତାବକ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ୨୦୧୬ ଏବଂ ୨୦୧୭ରେ ପ୍ରତିବର୍ଷ ୭୫୦ଡଲାର ଟ୍ୟାକ୍ସ ପ୍ରଦାନ କରିଥିଲେ । ଆମେରିକାରେ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଯାହାକୁ ଦୃଷ୍ଟିରେ ରଖି ଏହି ତଥ୍ୟ ଉପରେ ଅନେକ ରାଜନୀତି ହୋଇପାରେ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଟ୍ୟାକ୍ସ ସମ୍ବନ୍ଧୀୟ ତଥ୍ୟକୁ ବହୁତ ଗୁମର ଭାବେ ଲୁଚାଇ ରଖନ୍ତି । ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଯିଏ ଏହି ତଥ୍ୟକୁ ସାର୍ବଜନୀନ କରନ୍ତି ନାହିଁ। ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରୁ ୧୦ ବର୍ଷ ଡୋନାଲ୍ଡ ଟ୍ରମ୍ପ କେତେକ ଟ୍ୟାକ୍ସ ଦେଇନାହାନ୍ତି । ଯେତେବେଳେ କି ସେ ଜଣେ ରିଏଲ୍ ଇଷ୍ଟେଟ୍ ର ବରିଷ୍ଠ ଏବଂ ସଫଳ ବ୍ୟବସାୟୀ ଅଟନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟକୁ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ଟ୍ୟାକ୍ସ ଦେଉଛନ୍ତି। ମାତ୍ର ସେ ଏହାର ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ, ଏହା ଟ୍ରମ୍ପଙ୍କର ହିଁ ଟ୍ୟାକ୍ସ ରିଟର୍ଣ୍ଣର ତଥ୍ୟ।
୨୦୧୬ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡେମୋକ୍ରାଟିକ୍ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ଆଣିଥିଲେ । ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଆମେରିକୀୟ କମ୍ପାନୀଗୁଡିକର ଏହି ବର୍ଷ ରାଜସ୍ବ କୋଟି କୋଟି ଡଲାରର ଦେଖାଯାଇଛି । କିନ୍ତୁ ସେଗୁଡିକର ଲକ୍ଷ ଲକ୍ଷ ଡଲାରର କ୍ଷତି ହୋଇଥିବା ମଧ୍ୟ ଦର୍ଶାଯାଇଛି । ଅନ୍ୟପଟେ ୨୦୧୭ ମସିହାରେ ଟ୍ରମ୍ପଙ୍କ କମ୍ପାନୀଗୁଡିକ ଭାରତରେ ୧.୪୫ ଲକ୍ଷ ଡଲାର ଏବଂ ଫିଲିପାଇନ୍ସରେ ୧.୫୬ ଲକ୍ଷ ଡଲାରର ଟ୍ୟାକ୍ସ ପୈଠ କରିଛନ୍ତି ।