ବଢ଼ିଲା ଆମେରିକା-ଋଷିଆ କୂଟନୈତିକ ସଙ୍କଟ: ଭ୍ଲାଦିମର ପୁତିନ୍‌ଙ୍କୁ ହତ୍ୟାକାରୀ ବୋଲି ଆକ୍ଷେପ କଲେ ବାଇଡେନ୍‌

ତେଜିବାରେ ଲାଗିଛି ଆମେରିକା-ଋଷ ବିବାଦ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆକ୍ଷେପ ପରେ ବିବାଦ ଘନେଇବାରେ ଲାଗିଛି । ଭ୍ଲାଦିମର ପୁତିନ୍‌ଙ୍କୁ ହତ୍ୟାକାରୀ ବୋଲି ଆକ୍ଷେପ କଲେ ଜୋ ବାଇଡେନ୍‌ । ଏହାସହ ଆମେରିକା ନିର୍ବାଚନରେ ଅଯଥା ହସ୍ତକ୍ଷେପ ଯୋଗୁଁ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ବାଇଡେନ । ଯାହାକୁ ନେଇ ଋଷ କ୍ଷବ୍ଧ । ଓ୍ଵାଶିଂଟନରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ମସ୍କୋ ଫେରି ଆସିବାକୁ ପୁଟିନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କର ଭବିଷ୍ୟତ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ପାଇଁ ରାଷ୍ଟ୍ରଦୂତଙ୍କୁ ଡକାଯାଇଥିବା ମସ୍କୋ କହିଛି ।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁତିନଙ୍କ ଇଙ୍ଗିତରେ ମସ୍କୋ ମଧ୍ୟସ୍ଥତା କରିଥିବା ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରଦାନ କରିଥିବା ରିପୋର୍ଟକୁ ମସ୍କୋ ଖଣ୍ଡନ କରିଛି । ଋଷ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଆମେରିକା ଓ ଋଷ ମଧ୍ୟରେ ପୂର୍ବରୁ ବିବାଦ ରହିଛି । ଭବିଷ୍ୟତରେ ଏହା କେଉଁ ରୂପ ନେବାକୁ ଯାଉଛି ତାକୁ ଅପେକ୍ଷା କରାଯାଇଛି । ଯଦି ଅଧିକ ବିଗିଡ଼ିବ, ତେବେ ଏଥିପାଇଁ ଆମେରିକା ଦାୟୀ ରହିବ ବୋଲି କହିଛି ମନ୍ତ୍ରାଳୟ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲଡ ଟ୍ରମ୍ପଙ୍କ ବିଜୟ ଲାଗି ପୁଟିନ୍‌ ଉଦ୍ୟମ କରିଥିଲେ ବୋଲି ବାଇଡେନ୍‌ କହିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଅନ୍ୟପଟେ ଋଷ ପଦକ୍ଷେପ ଉପରେ ନଜର ରଖିଛି ଆମେରିକା ।

Leave A Reply

Your email address will not be published.