ଭାରତ ଫେରିବ ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀ ତହିବୁର ରାଣା, ଆମେରିକା ସୁପ୍ରିମକୋର୍ଟ ଦେଲେ ଅନୁମତି

ଭାରତ ଫେରିବ ଆତଙ୍କବାଦୀ ତହିବୁର ରାଣା । ୨୦୦୮ ମସିହା ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ତହିବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସୁପ୍ରିମକୋର୍ଟ । ଏବେ ଲସ୍ ଆଞ୍ଜେଲସ ଜେଲରେ ବନ୍ଦୀ ହୋଇ ରହିଛି ତହିବୁର ।
ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ସାମ୍ନାକୁ ଆସିଛି । ଆମେରିକାର ସୁପ୍ରିମକୋର୍ଟ ତଳ କୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଅନୁମୋଦନ କରିଥିଲେ । ତେଣୁ ଏବେ ଏହି ଆତଙ୍କବାଦୀକୁ ଭାରତ ଅଣାଯିବ । ତାଙ୍କର ବିଚାର ଆରମ୍ଭ ହେବ ।
୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଚାର୍ଜସିଟରେ ରହିଛି ତହିବୁର ରାଣାର ନାଁ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କବାଦୀ ସଂଗଠନ ଲସକର ଏ ତୋଇବା ପାଇଁ ସେ କାମ କରୁଥିଲା । ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ଡେଭିଡ ହେଡଲୀକୁ ସେ ସହାୟତା କରିଥିଲା । ମୁମ୍ବାଇର କେଉଁ କେଉଁ ସ୍ଥାନରେ ଆକ୍ରମଣ କରାଯିବ ତାର ରେକି କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେ ଦେଇଥିଲା । ୨୬/୧୧ ଆକ୍ରମଣ ସମ୍ପର୍କରେ ତାଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ପଚରାଯିବ କରାଯିବ । ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି ।
ତହିବୁର ରାଣା ଓ ଡେଭିଡ ହେଡଲୀ ମଧ୍ୟରେ ପିଲାଦିନରୁ ବନ୍ଧୁତା ରହିଛି । ପାକିସ୍ତାନ ସେନାରେ ଡାକ୍ତର ଭାବେ କାମ କରିବା ପରେ ତହିବୁର ରାଣା କାନାଡ଼ା ପଳାଇଥିଲା । ଏଥିସହ ସେ କାନାଡା ନାଗରିକତ୍ବ ହାସଲ କରିଛି । ଶିକାଗୋରେ ସେ ଫାଷ୍ଟ ୱାର୍ଲଡ ଇମିଗ୍ରେସନ ସର୍ଭିସେସ ନାଁରେ ଏକ ଫାର୍ମ ଖୋଲିଥିଲା । ଏହାର ଏକ ବ୍ରାଞ୍ଚ ମୁମ୍ବାଇରେ ଥିଲା । ଏହା ଜରିଆରେ ଡେଭିଡ କୋଲମେନ ହେଡଲୀ ମୁମ୍ବାଇ ହମଲା ପୂର୍ବରୁ ରେକି କରିଥିଲା ।
Also Read : ମୁମ୍ବାଇର ଦୁଇଟି ସ୍କୁଲକୁ ବୋମା ଧମକ, ଧମକପୂର୍ଣ୍ଣ ଇମେଲ ପଠାଇଛି ଅଫଜଲ୍ ଗ୍ୟାଙ୍ଗ୍ !