ଖାଇକୁ ଖସିଲା ଯାତ୍ରୀବାହୀ ବସ୍ : ୬ ମୃତ ,୨୨ଆହତ

ଡେରାଡୁନ : ଉତ୍ତରାଖଣ୍ଡ ପୋୖଡ଼ି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକତ୍ସା ପାଇଁ ନିକଟସ୍ଥ ଡାକ୍ତଖାନରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବସ୍ଟି ରବିବାର ପୋୖଡ଼ିରୁ ଦେହଲଚୌରି ଅଭିମୁଖେ ଯାତ୍ରା କରୁଥିଲା । ଅପରାହ୍ନ ପ୍ରାୟ ୪ ଟା ସମୟରେ ସତ୍ୟଖାଲ ନିକଟରେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱ ୧୦୦ ମିଟର ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବସ୍ରେ ଯାତ୍ରୀମାନଙ୍କ ଚିତ୍କାର ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇବାପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ଶ୍ରୀନଗର ବେସ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଗୁରୁତର ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ଚିକତ୍ସାଧିନ ଅବସ୍ଥାରେ ଜୀବନ ଯାଇଛି । ସମସ୍ତ ମୃତକଙ୍କ ପରିଚୟ ମିଳିସାରିଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ରହିଛି ।
ଅନ୍ୟପଟେ , ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି ।