ଉତ୍ତରାଖଣ୍ଡ ଭୂ-ସ୍ଖଳନ: ଏବେ ବି ସୁଡ଼ଙ୍ଗରେ ଫସିରହିଛନ୍ତି ଅନେକ ଲୋକ, ପାଇପ୍‌ ଓ ତାର କାଟି ଆଗକୁ ବଢ଼ୁଛନ୍ତି ଉଦ୍ଧାରକାରୀ ଦଳ

ଉତ୍ତରାଖଣ୍ଡରେ ଭୂସ୍ଖଳନ ପରେ ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତପୋବନ-ବିଷ୍ଣୁଗାଡ ହାଇଡ୍ରୋ ପ୍ରୋଜେକ୍ଟର ୨.୫ କିଲୋମିଟର ଟନେଲରେ ଫସିଥିବା ପ୍ରାୟ ୩୪ ଜଣଙ୍କୁ ବାହାରକୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ଟିମ୍‌ ସୁଡ଼ଙ୍ଗ ଭିତରେ ପାଇପ୍‌ ଓ ତାରକୁ କାଟି ଆଗକୁ ବଢ଼ୁଛନ୍ତି। ସୁଡ଼ଙ୍ଗ ପ୍ରାଧିକାରୀ ମଧ୍ୟ ସୁଡ଼ଙ୍ଗ ଭିତରେ ମାର୍କିଂ କରିବାରେ ସାହାଯ୍ୟ କରୁଛନ୍ତି। ନୌସେନାର କମାଣ୍ଡୋ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଆଇଟିବିପିର ୪୫୯ ଜଣ ଯବାନ, ଏନ୍‌ଡିଆରଏଫ୍‌ର ୫ଟି ଟିମ୍‌, ସେନାର ୮ଟି ଟିମ୍‌ ଓ ବାୟୁସେନାର ପାଞ୍ଚ ହେଲିକପ୍ଟର ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ସେହିପରି ଆଜି ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ପରେ ଶ୍ରୀନଗରରୁ ଏକ ଶବ ଜବତ ହୋଇଛି।

ରେସ୍‌କ୍ୟୁ ଟିମ୍‌ ଲଗାତାର କାଦୁଅ ହଟାଇ ଟନେଲରେ ଫସିଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କାଦୁଅ ଅଧିକ ଥିବାରୁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ୧୮୦ ମିଟର ଦୂର ଟି-ପଏଣ୍ଟରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଏବେ ବିକଳ୍ପ ରାସ୍ତା ଖୋଜାଯାଉଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ମଧ୍ୟ ଲଗାତାର ଏହି ମାମଲା ଉପରେ ନଜର ରଖିଛନ୍ତି।

ଡିଜିପି ଅଶୋକ କୁମାର କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ଏବେ ସେମିତି କିଛି ଉନ୍ନତି ହୋଇନାହିଁ। ଏବେ ଯାଏଁ ଆମକୁ ୩୨ଟି ଶବ ମିଳିଛି। ସେଥିରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୪ ଜଣଙ୍କ ପରିଚୟ ଏବେ ବି ମିଳିପାରିନାହିଁ। ଉଦ୍ଧାରକାରୀ ଟିମ୍‌ ଦୁଇଜଣ ଉତ୍ତରାଖଣ୍ଡ ପୋଲିସ କର୍ମୀଙ୍କ ଶବ ମଧ୍ୟ ଜବତ କରିଛନ୍ତି। ତେବେ ଏବେ ମଧ୍ୟ ନିଖୋଜ ଓ ମୃତ ଲୋକଙ୍କ ଠିକ୍‌ ସଂଖ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହା ୧୯୨ରୁ ୨୦୪ ମଧ୍ୟରେ ବୋଲି କହିଛନ୍ତି ଡିଜିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.