ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୂରଣ କଲେ ନିଜର ପ୍ରତିଶ୍ରୁତି; ରିଷଭ୍‌ ପନ୍ତଙ୍କୁ ବଞ୍ଚାଇଥିବା ବସ୍‌ ଚାଳକ ଓ କଣ୍ଡକ୍ଟରଙ୍କୁ କଲେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ ରିଷଭ୍‌ ପନ୍ତ ଗତ ମାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପନ୍ତ୍‌ଙ୍କର ପ୍ରଥମେ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ହୋଇଥିଲା। ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା। ଚଳିତ ମାସ ଏଠାରେ ତାଙ୍କର ସର୍ଜରୀ ହୋଇଛି।

ପନ୍ତଙ୍କ ଦୁର୍ଘଟଣା ସେହି ସମୟରେ ହୋଇଥିଲା, ଯେତେବେଳେ ସେ ତାଙ୍କ ମା’ଙ୍କୁ ଭେଟିବା ପାଇଁ ରୁର୍‌କୀ ଯାଉଥିଲେ। ପନ୍ତ୍‌ଙ୍କ ମର୍ସିଡିଜ୍‌ କାର୍‌ ଦିଲ୍ଲୀ-ଡେରାଡୁନ୍‌ ରାଜପଥର ଡିଭାଇଡରରେ ପିଟି ହୋଇଯାଇଥିଲା, ଯାହା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ପନ୍ତଙ୍କୁ କାର୍‌ରୁ ବାହାର କରିବାରେ ହରିୟାଣା ରୋଡ୍‌େଓ୍ଵଜ୍‌ର ବସ୍‌ ଚାଳକ ସୁଶିଲ୍‌ କୁମାର ଓ କଣ୍ଡକ୍ଟର ପରମଜିତ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଉଭୟଙ୍କ ବାହାଦୂରୀ ଏବଂ ସାହସ ପାଇଁ ପନ୍ତ୍‌ଙ୍କ ଜୀବନ ରକ୍ଷା ପାଇଥିଲା।

ଏବେ ହରିୟାଣା ରୋଡ୍‌େଓ୍ଵଜ୍‌ର ବସ୍‌ ଚାଳକ ସୁଶିଲ୍‌ କୁମାର ଓ କଣ୍ଡକ୍ଟର ପରମଜିତ୍‌ଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମ୍ମାନିତ କରିଛନ୍ତି। ସୁଶିଲ୍‌ଙ୍କ ପତ୍ନୀ ରିତୁ ଓ ପରମଜିତ୍‌ଙ୍କ ବାପା ସୁରେଶ କୁମାର ସେମାନଙ୍କ ତରଫରୁ ଏହି ସମ୍ମାନ ପ୍ରାପ୍ତ କରିଛନ୍ତି। ଏଥି ସହିତ ସିଏମ୍‌ ଧାମି ରଜତ କୁମାର ଓ ନୀଶୁ କୁମାରଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି।

କହି ରଖୁଛୁ ଯେ ସୁଶିଲ କୁମାର ଓ କଣ୍ଡକ୍ଟର ପରମଜିତ୍‌ ପନ୍ତଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ସେହିପରି ରଜତ ଓ ନୀଶୁ କୁମାର ପନ୍ତଙ୍କ ସମସ୍ତ ଜିନିଷ ଓ ଟଙ୍କା ପଇସାକୁ ଜଳନ୍ତା କାର୍‌ ଭିତରୁ ଉଦ୍ଧାର କରିଥିଲେ। ପରେ ଏହି ଜିନିଷଗୁଡ଼ିକୁ ସେମାନେ ପୋଲିସକୁ ହସ୍ତାନ୍ତର ମଧ୍ୟ କରିଥିଲେ।

ରିଷଭ୍‌ ପନ୍ତଙ୍କୁ ଭେଟିବା ପାଇଁ ଉଭୟେ ମ୍ୟାକ୍ସ ହସ୍ପିଟାଲ ପହଞ୍ଚିଥିଲେ। ପରେ ପନ୍ତ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.