ଉତ୍ତରାଖଣ୍ଡରେ ଲାଗୁ ହେବ ଗ୍ରୀନ୍‌ ଟ୍ୟାକ୍ସ!

ଡେରାଡୁନ୍‌: ଭବିଷ୍ୟତରେ ଯଦି କେବେ ଉତ୍ତରାଖଣ୍ଡ ଯାଉଛନ୍ତି, ତେବେ ଆପଣଙ୍କୁ ସବୁଜ ଟିକସ(ଗ୍ରୀନ୍‌ ଟ୍ୟାକ୍ସ) ଦେବାକୁ ପଡ଼ିପାରେ । ବାହ୍ୟ ରାଜ୍ୟରୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଉତ୍ତରାଖଣ୍ଡ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ଉତ୍ତରାଖଣ୍ଡ ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇ କେନ୍ଦ୍ର ସରକାରଙ୍କ ପରାମର୍ଶ ଲୋଡ଼ିଛନ୍ତି । ଯଦି ସବୁକିଛି ଠିକ୍‌ ରୁହେ, ତେବେ ଖୁବ୍‌ ଶୀଘ୍ର ଉତ୍ତରାଖଣ୍ଡରେ ପ୍ରବେଶ କରୁଥିବା ଯାନରୁ ସବୁଜ ଟିକସ ସଂଗ୍ରହ କରାଯିବ ।

ଖବର ଅନୁଯାୟୀ, ରାଜ୍ୟ ସୀମା ପାର ହେବା ମାତେ୍ର ଅଟୋମେଟିକ୍‌ ନମ୍ବର ପେ୍ଲଟ୍‌ ସ୍ୱୀକୃତି (ANPR) କ୍ୟାମେରା ମାଧ୍ୟମରେ ଗାଡ଼ିରେ ଥିବା ଫାସ୍‌ଟ୍ୟାଗ୍‌ ୱାଲେଟରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି କଟାଯିବ । ଏହି ଯୋଜନାରେ ଉତ୍ତରାଖଣ୍ଡ ରାଜ୍ୟକୁ ବାହାରୁ ଆସୁଥିବା ଗାଡ଼ିରୁ ୨୦ ରୁ ୮୦ ଟଙ୍କା ଟିକସ ଆଦାୟ କରାଯିବ । ଦୁଇ ଚକିଆ ଯାନକୁ ଟିକସ ମୁକ୍ତ କରାଯାଇଥିବାବେଳେ ୩ ଚକିଆ, ୪ ଚକିଆ ଯାନ ଉପରେ ୨୦ ଟଙ୍କା ଏବଂ ୪୦ ଟଙ୍କା ରାଶି ରଖାଯାଇଛି । ସେହିପରି ମଧ୍ୟମ ଏବଂ ଭାରୀ ଯାନ ଉପରେ ଯଥାକ୍ରମେ ୬୦ ଟଙ୍କା ଏବଂ ୮୦ ଲାଗୁ କରାଯିବ ।

ଅନ୍ୟପଟେ ବୈଦ୍ୟୁତିକ, ସିଏନ୍‌ଜି ଏବଂ ଷ୍ଟେଟ ନମ୍ବର ପ୍ଲେଟ ଥିବା ଯାନଗୁଡ଼ିକୁ ମଧ୍ୟ ଏହି ଟ୍ୟାକ୍ସରୁ ମୁକ୍ତ କରାଯିବ । ଏହା ବ୍ୟତୀତ ସମସ୍ତ ସରକାରୀ ଗାଡ଼ି, ଫାୟାର ଇଞ୍ଜିନ ଏବଂ ଆମ୍ବଲାନ୍ସ ଭଳି ଗାଡ଼ିରୁ ମଧ୍ୟ ଏହି ଟ୍ୟାକ୍ସ ଗ୍ରହଣ କରାଯିବ ନାହିଁ । ତେବେ ଖୁବ୍‌ ଶୀଘ୍ର ରାଜ୍ୟର ସମସ୍ତ ସୀମାରେ ଏହି ବ୍ୟବସ୍ଥା ଲାଗୁହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।