୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଆସିବ କୋଭିଡ ଟିକା, ବଜାରକୁ ଛାଡ଼ିବ ସିରମ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ :  ଖୁବ ଶୀଘ୍ର ବଜାରକୁ ଆସିବ ଶିଶୁଙ୍କ ପାଇଁ କୋଭିଡ ଟିକା । ଏମିତି ସୂଚନା ଦେଇଛନ୍ତି ସିରମ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନେଓ୍ଵାଲା । ଏହି ଟିକା ୩ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶିଶୁମାନେ ନେଇ ପାରିବେ । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି କାମ ଚଳାଇଥିଲା । ଆଉ ୬ ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇ ବଜାରରେ ଉପଲବ୍ଧ ହେବ ବୋଲି ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରକାଶ ପାଇଛି ।

ପୂର୍ବରୁ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ କୋଭିଡ ଟିକା ଦିଆଯାଉଥିଲେ ମଧ୍ୟ ଛୋଟ ଗ୍ରୁପର ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇ ନଥିଲା । ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ ଟିକାର ପରୀକ୍ଷଣ ସଫଳ ଷ୍ଟେଜରେ ପହଞ୍ଚିଛି । ଏହା ଭଲ କାମ କରୁଥିବା ମଧ୍ୟ ଦେଖା ଗଲାଣି । ସରକାରଙ୍କ ଠାରୁ ଅନୁମତି ନେଇ ଖୁବ ଶୀଘ୍ର ଏହି ଟିକା ଛୋଟ ପିଲାଙ୍କୁ ଦିଆଯିବ ବୋଲି ପୁନେଓ୍ଵାଲା ପ୍ରକାଶ କରିଛନ୍ତି ।

Courtesy : ANI

ପ୍ରକାଶଯୋଗ୍ୟ ଯେ କରୋନାର ଓମିକ୍ରନ ଷ୍ଟ୍ରେନ ଏବେ ଦ୍ରୁତ ଭାବେ ବଢ଼ିଚାଲିଥିବାରୁ ଟିକାକରଣ ଉପରେ ଗବେଷକମାନେ ଅଧିକ ଗୁରୁତ୍ୱ ଦେଇଛନ୍ତି । ‘ଓମିକ୍ରନ’ ଏପର୍ଯ୍ୟନ୍ତ ପ୍ରାୟ ୬୩ ଟି ଦେଶକୁ ଅକ୍ତିଆର କଲାଣି । ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ୩ ବର୍ଷ ବୟସରୁ ଉର୍ଦ୍ଧ୍ୱ ଶିଶୁଙ୍କ ପାଇଁ କୋଭିଡ ଟିକା ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି ସିରମ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନେଓ୍ଵାଲା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.