ଗୋଟିଏ ଦିନର ରୋଜଗାର ସହିଦ ପରିବାରଙ୍କୁ ଦାନ କଲେ ବଡ଼ାପାଓ ଦୋକାନି

ପୁଲଓ୍ଵାମା ରେ ସହିଦ ହୋଇଥିବା ପରିବାରଙ୍କ ପାଇଁ ଦେଶ ବ୍ୟାପି ଛୁଟୁଛି ଅନୁକମ୍ପାର ସୁଅ । କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ଓ ଅଭିନେତା ପର୍ଯ୍ୟନ୍ତ ନିଜ କ୍ଷମତା ଅନୁସାରେ ସହିଦ ପରିବାରଙ୍କୁ ସହାୟତା ଦେବାରେ ଲାଗି ପଡ଼ିଛନ୍ତି । କିନ୍ତୁ ମୁମ୍ବାଇର ଜଣେବଡାପାଓ ଦୋକାନି ମଙ୍ଗେଶ ଆହିଓ୍ଵାଲେ ନିଜର ସ୍ୱଳ୍ପ ରୋଜଗାରରୁ ଗୋଟିଏ ଦିନର ଆୟକୁ ସହିଦ ହୋଇଥିବା ମହାରାଷ୍ଟ୍ରର ଦୁଇଜଣ ଯବାନ ନିତିନ ରାଠୋର ଓ ସଞ୍ଜୟ ରାଜପୁତଙ୍କ ପରିବାରକୁ ଦାନ କରିଛନ୍ତି ।

MANGESH-2
ସେବା ମନୋବୃତ୍ତି ନେଇ ଏହି ସହିଦ ପରିବାରକୁ ସହାୟତା ଉଦ୍ଦେଶ୍ୟରେ ମଙ୍ଗେଶ ବଡାପାଓକୁ ମାତ୍ର ପାଞ୍ଚ ଟଙ୍କାରେ ବିକ୍ରି କରିଥିଲେ । ପରେ ପୂରା ଦିନର ଉପାର୍ଜନକୁ ସେ ସହିଦଙ୍କ ଶୋକ ସନ୍ତପ୍ତ ପରିବାରକୁ ଦାନ କରିଥିଲେ । ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ପରିବାର ପାଇଁ ଏହା ଏକ କ୍ଷୁଦ୍ର ହେଲେ ବି ଅଭିନବ ଓ ମହାନ୍‌ ପ୍ରୟାସ । ରାଜ୍ୟର ସମସ୍ତ ଲୋକ ଏହି ବୀର ଯବାନଙ୍କ ପରିବାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ମଙ୍ଗେଶ ଆହିଓ୍ଵାଲା କହିଛନ୍ତି ।
ତେବେ ମଙ୍ଗେଶଙ୍କ ପାଇଁ ଏଭଳି କାମ ନୂଆ ନୁହେଁ । ତୃତୀୟ ଥର ପାଇଁ ସେ ଏଭଳି ବଦାନ୍ୟତା ଦେଖାଇଛନ୍ତି । ଗତ ବର୍ଷ ୬୦ ପ୍ରତିଶତ ଶସ୍ତାରେ ବଡାପାଓ ବିକ୍ରି କରି ସେନା ପାଣ୍ଠିକୁ ଦାନ କରିଥିଲେ । ସେହିପରି ୨୦୧୫ରେ ମରାଠଓ୍ଵାଡା ଓ ବିଦର୍ଭ ଅଞ୍ଚଳରେ ଚାଷୀ ମୃତ୍ୟୁର ସହାୟତା ପୂର୍ବକ ମୁଖ୍ୟମନ୍ତ୍ରୀ ରଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ମଙ୍ଗେଶଙ୍କର ଏହି ବଦାନ୍ୟତା ପାଇଁ ସେଠାକର ଅଞ୍ଚଳବାସୀଙ୍କ ଠାରୁ ସାଉଣ୍ଟିଛନ୍ତି ଅଜସ୍ର ସାଧୁବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.