‘ମେ ଫସୁଙ୍ଗା ନେହିଁ’: ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବାକୁ ଭଦୋଦରା ପୋଲିସର ନିଆରା ପ୍ରୟାସ
ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୁଜରାଟ ଭଦେଦରା ପୋଲିସ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାଏ। ନୂଆ ନୂଆ କ୍ରିଏଟିଭ ଆଇଡିଆ ସହ ଭଦୋଦରା ପୋଲିସ ଲୋକଙ୍କ ପାଖରେ ନିଜ କଥା ପହଞ୍ଚାଇଥାଏ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନୂଆ ନୂଆ ପ୍ରୟାସ କରିଥାଏ। ଖାସ୍ କରି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଭଦୋଦରା ପୋଲିସ ନୂଆ ନୂଆ ଥିମ୍ ବ୍ୟବହାର କରିଥାଏ। ଏଥରକ ବି ସେଭଳି କିଛି ପ୍ରୟାସ କରିଛି ପୋଲିସ। ପୋଲିସ ନିଜ ଅଫିସିଆଲ ଫେସବୁକ୍ ପେଜ୍ Vadodara City Police ରେ ପୋଷ୍ଟ କରିଛି। ଏହି ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି।
ଅନ୍ଲାଇନ୍ ଠକେଇରୁ ମୁକ୍ତି ପାଇଁ ଭଦୋଦରା ପୋଲିସ ନିକଟରେ ରିଲିଜ୍ ହୋଇଥିବା ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ପୁଷ୍ପାର ପପୁଲାର ଡାଇଲଗ୍ ‘ମେ ଝୁକେଗା ନେହିଁ’କୁ ବ୍ୟବହାର କରିଛି। ଭଦୋଦରା ପୋଲିସ ପକ୍ଷରୁ ମେ ଝୁକେଗା ନେହିଁ ଥିମ୍କୁ ବ୍ୟବହାର କରି ଏକ ମିମ୍ ବନାଇ ନିଜ ପେଜ୍ରେ ସେୟାର କରାଯାଇଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଫଟୋ ସହ ତଳେ ଲେଖାଯାଇଛି ଯେ ‘ଯେତେ ବି ଆକର୍ଷଣୀୟ ସ୍କିମ୍ ହେଉ କି ଅଜଣା ଝିଅଙ୍କ ରିକ୍ୱେଷ୍ଟ, ମୁଁ ଫସିବି ନାହିଁ’।
#VadodaraCityPolice pic.twitter.com/q3Wgk3ng7G
— Vadodara City Police (@Vadcitypolice) January 28, 2022
ଏହି ପୋଷ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ମେସେଜ୍ ଦିଆଯାଇଛି ଯେ ଯେତେ ବି ଆକର୍ଷଣୀୟ ଅଫର ଆସୁ କିମ୍ବା ଯେତେ ସୁନ୍ଦରୀ ଝିଅ ବି ଆପଣଙ୍କୁ ଆପ୍ରୋଚ୍ କରନ୍ତୁ ନା କାହିଁକି, ଆପଣ ତା’ ଉପରେ କୌଣସି ରେସ୍ପଣ୍ଡ କରିବେ ନାହିଁ। ନଚେତ୍ ଅନ୍ଲାଇନ୍ ଠକେଇର ଶିକାର ବନି ପାରନ୍ତି।
ଏ ନେଇ ଭଦୋଦରା ପୋଲିସ ଏସିପି ପ୍ରଣବ କଟାରିଆ କହିଛନ୍ତି, ସାଇବର ଫ୍ରଡ୍କୁ ରୋକିବା ପାଇଁ ଲୋକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟରେ ୧୦୦/୧୮୦୦-୫୯୯୯-୦୦୦୧ ନମ୍ବର ମଧ୍ୟ ଲେଖାଯାଇଛି। ଯଦି କେହି ଅଜାଣତରେ ସାଇବର ଠକେଇର ଶିକାର ହୋଇଯାଏ ତେବେ ଏହି ନମ୍ବରରେ କଲ୍ କରି ନିଜ ଅଭିଯୋଗକୁ ରେଜିଷ୍ଟର କରିପାରିବେ।