ପଳାତକ ଲଳିତ ମୋଦିଙ୍କୁ ବଡ଼ ଝଟକା, ପାସପୋର୍ଟ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଲେ ବାନୁଆତୁ ପ୍ରଧାନମନ୍ତ୍ରୀ

ଆଇପିଏଲର ସଂସ୍ଥାପକ ପଳାତକ ଲଳିତ ମୋଦିଙ୍କୁ ବଡ଼ ଝଟକା ଲାଗିଛି । ବାନୁଆତୁ ସରକାର ଲଳିତଙ୍କ ନାଗରିକତା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାନୁଆତୁ ପାସପୋର୍ଟ ପାଇଥିବା ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦି ତାଙ୍କ ଭାରତୀୟ ପାସପୋର୍ଟ ଫେରାଇବା ପାଇଁ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନଙ୍କ ନିକଟରେ ଆବେଦନ କରିଥିଲେ ।

ବାନୁଆତୁ ଦ୍ୱାରା ପ୍ରଦାନ କରାଯାଇଥିବା ପାସପୋର୍ଟକୁ ରଦ୍ଦ କରିବାକୁ ତାଙ୍କ ଦେଶର ସିଟିଜନସିପ୍ କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି ବାନୁଆତୁ ପ୍ରଧାନମନ୍ତ୍ରୀ ଜୋଥାମ ନାପାତ୍ । ଲଳିତ ମୋଦିଙ୍କ ଉଦ୍ଦେଶ୍ୟ ପ୍ରତ୍ୟର୍ପଣ ଏଡ଼ାଇବା । ପ୍ରତ୍ୟର୍ପଣ ଏଡାଇବାକୁ ବାନୁଆତୁର ନାଗରିତା ଗ୍ରହଣ କରିବା ଏକ ବୈଧ କାରଣ ହୋଇ ପାରିବ ନାହିଁ ବୋଲି କହିଛନ୍ତି ବାନୁଆତୁ ପ୍ରଧାନମନ୍ତ୍ରୀ । ବାନୁଆତୁ ପାସପୋର୍ଟ ରଖିବା ଏକ ସ୍ୱାଧିକାର କିନ୍ତୁ ଏହା ଅଧିକାର ନୁହେଁ । ନାଗରିକତା ପାଇବାକୁ ହେଲେ ବୈଧ କାରଣ ଦର୍ଶାଇବାକୁ ପଡିବ ବୋଲି ବାନୁଆତୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ଡିସେମ୍ବର ୨୦୨୪ରେ ବାନୁଆତୁର ନୂଆ ନାଗରିକତ୍ବ ପାଇଥିଲେ ଲଳିତ ମୋଦି । ଏହା ପରେ ଭାରତର ନାଗରିକତ୍ବ ଫେରାଇବାକୁ ହାଇ କମିଶନଙ୍କ ନିକଟରେ ପାସପୋର୍ଟ ସରେଣ୍ଡର କରିଥିଲେ । ପୂର୍ବତନ ଆଇପିଏଲ କମିଶନର ଟିକସ ଚୋରି ଓ ମନି ଲଣ୍ଡରିଂ ମାମଲାରେ ସେ ଅଭିଯୁକ୍ତ ଅଛନ୍ତି । ତଦନ୍ତ ଚାଲିଥିବା ସମୟରେ ସେ ୨୦୧୦ରେ ଭାରତ ଛାଡି ଲଣ୍ଡନ ପଳାଇ ଥିଲେ । ତାଙ୍କୁ ପ୍ରତ୍ୟର୍ପଣରେ ଆଣିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି ।

ସେ ବାନୁଆତୁ ନାଗରିକ ହେବା ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଜଟିଳ ହୋଇଥିଲା । ଭାରତ ଓ ବାନୁଆତୁ ମଧ୍ୟରେ ପ୍ରତ୍ୟର୍ପଣ ନେଇ କୌଣସି ଚୁକ୍ତି ନାହିଁ । ତେଣୁ ଲଲିତ ମୋଦି ଆଇନ ଜାଲରୁ ଖସି ପଳେଇବାକୁ ବାନୁଆତୁ ନାଗରିକତା ଗ୍ରହଣ କରିଥିଲେ ବୋଲି କୁହାଯାଉଥିଲା । ଏବେ କିନ୍ତୁ ବାନୁଆତୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଲଳିତ ମୋଦିଙ୍କୁ ଝଟକା ଲାଗିଛି ।

Also Read : କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ହେବେ ମାର୍କ କାର୍ନି, ନେବେ ଟ୍ରୁଡୋଙ୍କ ସ୍ଥାନ