ଗୁଜରାଟ ଉପକୂଳକୁ ପାଖେଇ ଆସୁଛି ବାତ୍ୟା ‘ବାୟୁ’, ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍

ଗୁଜରାଟ: ଗୁଜରାଟ ଉପକୂଳକୁ ପାଖଉଛି ବାତ୍ୟା ବାୟୁ । ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବ ବାୟୁ । ଗୁଜରାଟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିବ । ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟାଇବ । ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ୧୮୦ କିଲୋମିଟର ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅମରେଲି, ଜାମନଗର, ଗିର ସୋମନାଥ, ଦ୍ୱାରକା, ଜାମନଗର, ରାଜକୋଟ, ଦେବଭୂମି ଓ କଚ୍ଛ ଆଦି ଅଞ୍ଚଳରେ ବାତ୍ୟାର ପ୍ରଭାବ ବେଶୀ ଦେଖିବାକୁ ମିଳିଛି ।
ବାୟୁ ପ୍ରଭାବରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୨ ଲକ୍ଷ ୭୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ୫୨ ୟୁନିଟ୍ ଏନ୍ଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ସେହିପରି ୯ଟି ଏସ୍ଡିଆରଏଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି । ସେନା, ବାୟୁସେନା ଓ ନୌସେନା ମଧ୍ୟ ସଜାଗ ରହିଛି । ବର୍ଷା ଓ ପବନ ଯୋଗୁ ୭୦ଟି ଟ୍ରେନ୍ ରଦ୍ଦ କରାଯାଇଥିବା ବେଳେ ୨୮ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି । ଗୁଜରାଟର ୧୦ଟି ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।