ଆସାମରେ ବନ୍ୟା: ମଝି ନଈରେ ବୁଡ଼ି ଯାଉଥିଲେ ବ୍ୟକ୍ତି, NDRF ଟିମ୍‌ ଏମିତି ବଞ୍ଚାଇଲା ଜୀବନ…ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ

ଆସାମର ଉଫ୍‌ନତି ନଦୀରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତିଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କରିଛି। ଏହି ଘଟଣା କାମରୁପ୍‌ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଠାରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ଦେବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବୋଟ୍‌ରେ ଯାଉଥିଲା। ସେହି ସମୟରେ ମଝି ନଈରେ ବ୍ୟକ୍ତି ଜଣକ ନଜର ଆସିଥିଲେ। ସଙ୍ଗେ ସଙ୍ଗେ ଟିମ୍‌ ନିଜ ବୋଟ୍‌କୁ ବ୍ୟକ୍ତିଙ୍କ ଆଡ଼କୁ ମୁହାଁଇଥିଲା ଏବଂ ତାଙ୍କୁ ମରଣ ମୁହଁରୁ ବଞ୍ଚାଇଥିଲା।

ଘଟଣା ସମ୍ପର୍କରେ ଏନ୍‌ଡିଆର୍‌ଏଫ୍‌ର ସବ୍‌ ଇନ୍ସପେକ୍ଟର କହିଛନ୍ତି ଯେ ଉତ୍ତର ଗୌହାଟୀ ଅଞ୍ଚଳରେ ଯେତେବେଳେ ଆମ ଉଦ୍ଧାରକାରୀ ଦଳ ରିଲିଫ୍‌ ସାମଗ୍ରୀ ନେଇ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଦେବାକୁ ଯାଉଥିଲା, ସେହି ସମୟରେ ଏହି ବ୍ୟକ୍ତି ନଦୀ ଜଳରେ ବୁଡ଼ି ଯାଉଥିବାର ନଜର ଆସିଥିଲେ। ସେ ଅତ୍ୟନ୍ତ ବିପଦ ସ୍ଥିତିରେ ଥିଲେ। ଆମ ଦଳ ଠିକ୍‌ ସମୟରେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ତାଙ୍କ ଘରେ ଛାଡ଼ି ଦିଆଯାଇଛି।

ସବ୍‌ ଇନ୍ସପେକ୍ଟରଙ୍କ ସୂଚନା ମୁତାବକ, ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ଇଲିୟାସ୍‌ ଅଲ୍ଲୀ, ସେ ପଶ୍ଚିମ ଇସ୍‌ଲାମପୁରର ବାଲାପାରେ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଇଲିୟାସ୍‌ ଦୀର୍ଘ ସମୟ ଧରି ପାଣି ଭିତରେ ରହିବା କାରଣରୁ ବହୁତ ଭୟଭୀତ ଥିଲେ। ତାଙ୍କୁ ଟିମ୍‌ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛି ବୋଲି ସବ୍‌ ଇନ୍ସପେକ୍ଟର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.