କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଲକଡାଉନ ଲାଗୁ କରାଯାଇଛି। ଲକଡାଉନ ଯୋଗୁ ଲୋକଙ୍କୁ ଖାଇବା ପିଇବାରେ ସମସ୍ୟା ହେଉଛି। କିଛି ଲୋକଙ୍କର ତ ଚାକିରି ବି ଚାଲିଯାଇଛି। ଏଭଳି ସ୍ଥିତିରେ ଏକ ଦେଶ ସାମାଜିକ ଦୂରତ୍ୱକୁ ବଜାୟ ରଖି ଗରିବଙ୍କୁ ସାହାଯ୍ୟ ପାଇଁ ଚାଉଳ ଦେବାକୁ ଏକ ନିଆରା ଉପାୟ ଆପଣାଇଛି।

ରିପୋର୍ଟ ମୁତାବକ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିଏତନାମରେ ରାଇସ ଏଟିଏମ୍ ବା ଚାଉଳର ଏଟିଏମ୍ ସ୍ଥାପନ କରାଯାଇଛି। ବ୍ୟାଙ୍କ ATM ଭଳି ଜଣେ ଚାହିଁଲେ ଏଥିରୁ ମାଗଣାରେ ଚାଉଳ ନେଇ ପାରିବ। ଏହି ମେସିନ ୨୪ ଘଣ୍ଟା କାମ କରିବ। ଲକଡାଉନ ସମୟରେ ଲୋକଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ମେସିନକୁ ଭିଏତନାମର ଜଣେ ବିଜନେସ ମ୍ୟାନ ତିଆରି କରିଛନ୍ତି।

ସୂଚନାଯୋଗ୍ୟ ଯେ ଭିଏତନାମରେ କରୋନା ସଂକ୍ରମଣର ବହୁତ କମ ମାମଲା ସାମ୍ନାକୁ ଆସିଛି। ଏବେ ଯାଏଁ ସେଠାରେ କାହାର ମୃତ୍ୟୁ ଘଟିନାହିଁ। ତଥାପି ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୩୧ରୁ ସେଠାରେ ଲକଡାଉନ କରିଦିଆଯାଇଛି। ସେଠାକାର ଲୋକ ମଧ୍ୟ ବନ୍ଦକୁ ଗମ୍ଭୀରତାର ସହ ନେଉଥିବା ଦେଖାଯାଇଛି।

ଚାଉଳ ଯୋଗାଉଥିବା ଏହି ମେସିନ ଦିନକୁ ୧.୫ କେଜି ଚାଉଳ ଯୋଗାଉଛି। ହାଉସକିପର, ଷ୍ଟ୍ରିଟ ସେଲର ପ୍ରମୁଖ ଏହି ଚାଉଳ ଏଟିଏମ ଯୋଗୁ ଖାଦ୍ୟ ପାଉଥିବା ଜଣାଯାଇଛି।