ମାଙ୍କଡ଼ଙ୍କ ମାଙ୍କଡ଼ାମିରେ ଅତିଷ୍ଠ ହୋଇ ଗ୍ରାମବାସୀ ଆପଣାଇଲେ ଅଦ୍ଭୁତ ଉପାୟ, ଦେଖନ୍ତୁ କେମିତି ଭାଲୁ ସାହାଯ୍ୟରେ କଲେ ବିଦା
ମାଙ୍କଡ଼ଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଗାଁ ଲୋକେ ଅଭିନବ ଢଙ୍ଗରେ ମାଙ୍କଡ଼ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ଗାଁ ଲୋକେ ଭାଲୁ ଡ୍ରେସ ପିନ୍ଧି ଗାଁରୁ ମାଙ୍କଡ଼ଙ୍କୁ ଘଉଡ଼ାଉଛନ୍ତି। ସବୁଠାରୁ ଖୁସିର କଥା ହେଉଛି ଏହି ଉପାୟରେ ମାଙ୍କଡ଼ମାନେ ବି ଭୟଭୀତ ହୋଇ ସ୍ଥାନ ଛାଡ଼ିଛନ୍ତି।
ଉତ୍ତର ପ୍ରଦେଶର ଶାହାଜାହାନପୁରର ସିକନ୍ଦରପୁର ଅଫଗାନ ଗାଁର ଲୋକମାନେ ଗତ କିଛି ବର୍ଷ ହେଲା ମାଙ୍କଡ଼ଙ୍କ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ମାଙ୍କଡ଼ଙ୍କ ଯୋଗୁ ତାଙ୍କ ଫସଲ ସମେତ ଘରର ଖାଦ୍ୟପେୟ, ଜିନିଷ ପତ୍ର ତଥା ସମସ୍ତ ଜିନିଷ ନଷ୍ଟ ହେଉଛି। ମାଙ୍କଡ଼ମାନେ ପିଲାଙ୍କୁ କାମୁଡ଼ାକାମୁଡ଼ି ମଧ୍ୟ କରିଦେଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ମାଙ୍କଡ଼ଙ୍କ ଭୟରେ ଛାତରୁ ଖସି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିସାରିଲାଣି।
ଏହି ସମସ୍ୟାରୁ ମୁକ୍ତି ପାଇଁ ଗ୍ରାମବାସୀ ଭାଲୁ ପୋଷାକ ପିନ୍ଧି ଗାଁ ଗାଁ ବୁଲି ମାଙ୍କଡ଼ଙ୍କୁ ଘଉଡ଼ାଉଛନ୍ତି। ପୂର୍ବରୁ ମାଙ୍କଡ଼ଙ୍କୁ ଘଉଡ଼ାଇବାକୁ ଗ୍ରାମବାସୀ ବନ ବିଭାଗ ସହ କଥା ହୋଇଥିଲେ। ସେମାନେ ଏକ ଫାର୍ମକୁ ଏହି ଦାୟିତ୍ୱ ଦେଇଥିଲେ। ମାତ୍ର ଫାର୍ମ ମାଲିକ ଗୋଟିଏ ମାଙ୍କଡ଼ ପିଛା ୩୦୦ ଟଙ୍କା ମାଗିଥିଲେ। ମାଙ୍କଡ଼ଙ୍କ ସଂଖ୍ୟା ଅଧିକ ଥିବାରୁ ଏନେଇ ଗ୍ରାମବାସୀ ସମ୍ମତି ଜଣାଇନଥିଲେ।
ଜିଲ୍ଲା ବନ ବିଭାଗ ଅଧିକାରୀ ଆଦର୍ଶ କୁମାର କହିଛନ୍ତି କେହି ମାଙ୍କଡ଼ଙ୍କୁ ଧରୁନାହାନ୍ତି। ଲୋକମାନେ କେବଳ ଭାଲୁଙ୍କ ପୋଷାକ ପିନ୍ଧି ମାଙ୍କଡ଼ଙ୍କୁ ଘଉଡ଼ାଉଛନ୍ତି। ତାଙ୍କ ପାଖକୁ ଏ ପର୍ଯ୍ୟନ୍ତ ମାଙ୍କଡ଼ଙ୍କୁ ନେଇ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ସେ ମାଙ୍କଡ଼ ଧରିବାକୁ ଅନୁମତି ଦେବେ ବୋଲି କହିଛନ୍ତି।