ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ୍ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି । ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର ଓ ସୁବିଧା ପ୍ରଦାନ କରାଯିବ ବୋଲି ହରିୟାଣା ସରକାର କହିଛନ୍ତି । ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ଭିନେଶଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର।
ହରିୟାଣା ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରି କହିଛନ୍ତି, ଆମ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗାଟ୍ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ କିଛି କାରଣ ଯୋଗୁଁ ଫାଇନାଲରେ ଖେଳିପାରିଲେ ନାହିଁ । କିନ୍ତୁ ଆମ ପାଇଁ ସେ ଚାମ୍ପିଅନ । ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଭିନେଶ ଫୋଗାଟଙ୍କୁ ରୌପ୍ୟ ପଦକ ବିଜେତା ଭଳି ସ୍ୱାଗତ ଓ ସମ୍ମାନିତ କରାଯିବ । ଭିନେଶ ହରିୟାଣା ସରକାରଙ୍କ ଠାରୁ ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ପାଇବେ । ଆମେ ତୁମକୁ କୃତଜ୍ଞତା ଜଣାଉଛୁ ।
ସୂଚନାଯୋଗ୍ୟ, ଭିନେଶ ଫୋଗାଟ୍ ପ୍ୟାରିସ ଅଲିମ୍ପିକ୍ସର ୫୦ କେଜି କୁସ୍ତିର ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଧାର୍ଯ୍ୟ ସୀମାଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବା ଯୋଗୁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଥିଲା । ଏହାପରେ ସେ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ମା’କୁ ଲେଖିଛନ୍ତି, ମା’ କୁସ୍ତି ମୋ ଠାରୁ ଜିତିଗଲା, ଆଉ ମୁଁ ହାରିଗଲି । କ୍ଷମା କରିବ ମୁଁ ତୁମ ସ୍ୱପ୍ନ ଏବଂ ମୋ ସାହସ ସବୁକିଛି ଭାଙ୍ଗିଯାଇଛି । ମୋ ପାଖରେ ଶକ୍ତି ନାହିଁ । ବିଦାୟ କୁସ୍ତି ୨୦୦୧-୨୦୨୪ । ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବି । କ୍ଷମା କରିବ ।
ତେବେ ସିଲଭର ମେଡାଲ ପାଇଁ ସେ କୋର୍ଟ ଅଫ ଆରବିଟ୍ରେସନ ଫର ସ୍ପୋର୍ଟସରେ ଆବେଦନ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ କୋର୍ଟ ଅଫ ଆରବିଟ୍ରେସନ ଫର୍ ସ୍ପୋର୍ଟସ୍ ବା CAS ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।