ବିନୋଦ କାମ୍ବଲିଙ୍କୁ ଜ୍ୱର, କ୍ରିକେଟରଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କୁ ଜ୍ୱର । କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । କାମ୍ବଲିଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପରେ ତାଙ୍କୁ ମହାରାଷ୍ଟ୍ର ଠାଣେର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଡାକ୍ତର ବିବେକ ତ୍ରିବେଦୀ କହିଛନ୍ତି ଯେ ୫୨ ବର୍ଷୀୟ କାମ୍ବଲିଙ୍କର ପରିସ୍ରା ସଂକ୍ରମଣ ହୋଇଛି । ଏହାର ଚିକିତ୍ସା ପାଇଁ ସେ ପଜିଟିଭ୍ ରେସପନ୍ସ ଦେଉଛନ୍ତି । ଏଥିରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭିୱଣ୍ଡି ସହର ନିକଟ ଏକ ହସ୍ପିଟାଲରେ ଶନିବାର ଭର୍ତ୍ତି କରାଯାଇଥିଲା । ଡାକ୍ତର ତ୍ରିବେଦୀଙ୍କ ତତ୍ତ୍ୱାବଧାନରେ ଏକ ମେଡିକାଲ ଟିମ୍ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ।
ସେ କହିଛନ୍ତି ଯେ ଡାକ୍ତରମାନେ କାମ୍ବଲିଙ୍କର ଏମଆରଆଇ କରିବାକୁ ଯୋଜନା କରୁଛନ୍ତି, କିନ୍ତୁ ତାଙ୍କୁ ଜ୍ୱର ଆସିଛି । ତେଣୁ ପରୀକ୍ଷା ପରେ କରାଯିବ । କାମ୍ବଲିଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଇସିୟୁରୁ ବାହାର କରାଯିବ । ପାଖାପାଖି ୪ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯିବ ।
ସେପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ସାଂସଦ ପୁଅଙ୍କ ଦ୍ୱାରା ପରିଚାଳିତ ଶ୍ରୀକାନ୍ତ ସିନ୍ଦେ ଫାଉଣ୍ଡେସନ କାମ୍ବଲିଙ୍କୁ ସହାୟତା ପାଇଁ ଆଗେଇ ଆସିଛି । ମଙ୍ଗଳବାର ରାତିରେ ଠାଣେରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏକନାଥ ସିନ୍ଦେଙ୍କ ନିର୍ଦ୍ଦେଶରେ ତାଙ୍କର ସ୍ପେଶାଲ ଡ୍ୟୁଟି ଅଧିକାରୀ (ଓଏସଡି) ମଙ୍ଗେଶ ଚିୱଟେ ହସ୍ପିଟାଲ ପରିଦର୍ଶନ କରି କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
ଏକନାଥ ସିନ୍ଦେଙ୍କ ପୁଅ ତଥା କଲ୍ୟାଣ ଲୋକସଭା ସାଂସଦ ଶ୍ରୀକାନ୍ତ ସିନ୍ଦେ କାମ୍ବଲିଙ୍କ ପାଇଁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସହାୟତା ଆସନ୍ତା ସପ୍ତାହରେ ଡାକ୍ତର ଶ୍ରୀକାନ୍ତ ସିନ୍ଦେ ଫାଉଣ୍ଡେସନ ମାଧ୍ୟମରେ ପ୍ରଦାନ କରାଯିବ । ଶ୍ରୀକାନ୍ତ ସିନ୍ଦେ କାମ୍ବଲି ଏବଂ ତାଙ୍କ ପରିବାରକୁ ଆଗାମୀ ଦିନରେ ଆହୁରି ବି ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ।