ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ହିଂସା, ୬ ମୃତ

ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ତେଜିଲା ଆନ୍ଦୋଳନ । ହଜାର ହଜାର ଛାତ୍ର ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିରୋଧ କରୁଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ସମର୍ଥନ କରୁଥିବା ଗୋଷ୍ଠୀ ସହ ସେମାନେ ମୁହାଁମୁହିଁ ହେଉଥିବା ବେଳେ ଏହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୬ ଜଣଙ୍କର ଜୀବନ ଚାଲିଗଲାଣି । ମୃତକଙ୍କ ମଧ୍ୟରେ ୩ ଛାତ୍ର ଥିବା ଜଣାପଡିଛି । ଶହେରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସଂରକ୍ଷଣକୁ ବିରୋଧ କରି ଢାକା ସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ସମେତ ସେନାକୁ ମୁତୟନ କରିଛନ୍ତି ବାଂଲାଦେଶ ସରକାର । ବହୁ ସ୍ଥାନରେ ହିଂସା ଘଟଣା ସାମନାକୁ ଆସୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବସରେ ବି ନିଆଁ ଲଗାଇ ଦେଉଛନ୍ତି । ଅନେକ ସହରରେ ଛୋଟମୋଟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସ୍ଥିତି କ୍ରମଶଃ ଅଣାୟତ୍ତ ହେଉଥିବା ବେଳେ ବାଂଲାଦେଶର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ମଦ୍ରାସାକୁ ବନ୍ଦ କରିବାକୁ ପଡ଼ୁଛି ।

ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବାଂଲାଦେଶରେ ଥିବା ସଂରକ୍ଷଣ ବ୍ୟବସ୍ଥା ହେତୁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ସଂରକ୍ଷଣ ଆଳରେ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଭଲ ପଦବୀ ପାଇ ପାରୁଛନ୍ତି।

ବାଂଲାଦେଶରେ ଚାକିରି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯବାନଙ୍କ ପିଲାଙ୍କ ନିମନ୍ତେ ୩୦% ସଂରକ୍ଷଣ ରହିଥିବା ବେଳେ ବାଂଲାଦେଶୀ ମହିଳାଙ୍କ ପାଇଁ ୧୦% ସଂରକ୍ଷଣ ରହିଛି । ବିଭିନ୍ନ ଜିଲ୍ଲା ପାଇଁ ୧୦% ସଂରକ୍ଷଣ ରହିଥିବା ବେଳେ ଦେଶର ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୬% ସଂରକ୍ଷଣ ରହିଛି । ଏହାକୁ ମିଶାଇ ସମୁଦାୟ ୫୬% ସିଟ୍ ସଂରକ୍ଷଣ ପାଇଁ ରହୁଥିବା ବେଳେ ଅବଶିଷ୍ଟ ୪୪% ସିଟ୍କୁ ମେରଟ ଲିଷ୍ଟ ପାଇଁ ରଖାଯାଉଛି ।