ମଣିପୁରରେ ପୁଣି ହିଂସା, କାମ ସାରି ଫେରୁଥିବା ବେଳେ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି । କାମ ସାରି ଘରକୁ ଫେରୁଥିବା ବେଳେ ଉଗ୍ରବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ କାକଚିଙ୍ଗ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଏନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୫.୨୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏହି ଘଟଣା ଘଟିଛି । କାକଚିଙ୍ଗ ଜିଲ୍ଲାର କିରାକରେ ନିର୍ମାଣ କାର୍ଯ୍ୟ ସାରି ସାଇକେଲରେ ଉଭୟ ଶ୍ରମିକ ଫେରୁଥିବାବେଳେ ରାସ୍ତାରେ କିଛି ଉଗ୍ରବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଉଭୟ ଟଳି ପଡ଼ିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତକଙ୍କ ନାମ ସୁନାଲାଲ କୁମାର(୧୮) ଏବଂ ଦଶରଥ କୁମାର(୧୭) ବୋଲି ଜଣାପଡ଼ିଛି । ଉଭୟ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା ବୋଲି ପୋଲିସ କହିଛି ।

ସେପଟେ, ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।