ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଅଶାନ୍ତ ବାଂଲାଦେଶ: ୧୦୫ରୁ ଅଧିକ ମୃତ, ୨୫ଶହ ଆହତ

ଅଶାନ୍ତ ବାଂଲାଦେଶ । ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଜୁଲାଇ ୧ରୁ ଚାଲିଥିବା ବିକ୍ଷୋଭ ଉଗ୍ର ରୂପ ନେଇଛି । ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଆଇନ୍ ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହ ସେନା ମୁତୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ହିଂସା ଯୋଗୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୦୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୫ ଶହରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସାମ୍ୱାଦିକ ରହିଥିବା ବେଳେ ୧୫ ଜଣ ଛାତ୍ର ରହିଛନ୍ତି ।
ରାଜଧାନୀ ଢାକା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନେକ ସହରରେ ସଂରକ୍ଷଣ ବିରୋଧୀ ହାତରେ ଲାଠି ଓ ପଥର ନେଇ ବୁଲୁଛନ୍ତି । ଆନ୍ଦୋଳନକାରୀ ବସ ଓ ସରକାରୀ ଅଫିସରେ ନିଆଁ ଲଗାଉଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଟିଭି ସମ୍ବୋଧନ ପରେ ଆନ୍ଦୋଳନକାରୀ ସରକାରୀ ଟେଲିଭିଜନ ଅଫିସ ଉପରେ ଆକ୍ରମଣ କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ବେଳେ ଅଫିସରେ ୧୨ଶହ କର୍ମଚାରୀ ଥିଲେ । ପୋଲିସ କୌଣସିମତେ ସେମାନଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲା ।
ଗତକାଲି ଛାତ୍ରମାନେ ସେଣ୍ଟ୍ରାଲ ବାଂଲାଦେଶରେ ନରସିଙ୍ଗଡ଼ି ଜିଲ୍ଲାରେ ଥିବା ଏକ ଜେଲ ଭିତରକୁ ଧସେଇ ପଶିଥିଲେ । ଶତାଧିକ କଏଦୀଙ୍କୁ ବାହାର କରିବା ସହ ନିଆଁ ଲଗାଇଦେଇଥିଲେ । ହିଂସାଯୋଗୁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ମୋବାଇଲ୍ ସେବା ବନ୍ଦ ରହିଛି । ଏନେକ ଅଫିସିଆଲ୍ ୱେବସାଇଟ୍ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ୱେବସାଇଟକୁ ଏକ ଗ୍ରୁପ ହ୍ୟାକ୍ କରିଛନ୍ତି । ଏହି ସାଇଟ୍ ଗୁଡ଼ିକରେ ହ୍ୟାକର୍ସ ଲେଖିଛନ୍ତି ‘ଅପରେସନ୍ ହଣ୍ଟଡାଉନ୍, ଷ୍ଟପ୍ କିଲିଂ ଷ୍ଟୁଡେଣ୍ଟସ୍’ ।