‘ମାତ୍ର ୧୦ ଦିନରେ ୧୦ କୋଟି କମାଇଛନ୍ତି‘.. ଏଭଳି ଚର୍ଚ୍ଚାକୁ ଖଣ୍ଡନ କଲେ ମହାକୁମ୍ଭ ଭାଇରଲ ଗାର୍ଲ ମୋନାଲିସା

ମହାକୁମ୍ଭ ୨୦୨୫କୁ ନେଇ ଏବେ ସବୁଠି ଚର୍ଚ୍ଚା । ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଚାଲିଆସୁଛନ୍ତି । ଏଠାରେ ଆଇଆଇଟି ବାବା ଠାରୁ ଆରମ୍ଭ କରି ମୋନାଲିସା ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ । ଏମାନଙ୍କ ଭିତରେ ମାଳି ବିକୁଥିବା ମୋନାଲିସାଙ୍କୁ ନେଇ କିଛି ଅଲଗା ଚର୍ଚ୍ଚା ଶୁଣିବାକୁ ମିଳୁଛି । ମହାକୁମ୍ଭରେ ମାଳି ବିକୁଥିବା ମୋନାଲିସା ନିଜ ଆଖି ପାଇଁ ରାତାରାତି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲେ । ମୋନାଲିସା ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମାଳି ବିକି କେତେ ଟଙ୍କା ରୋଜଗାର କରିଛନ୍ତି, ତାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଲାଗିଛି । ମହାକୁମ୍ଭରେ ମୋନାଲିସା କୁଆଡେ ମାତ୍ର ୧୦ ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକେ ଆଲୋଚନା କରୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଜୋରରେ ଭାଇରଲ ହେଉଛି । ଯାହା ପରେ ଏହାର ସତ୍ୟତା ଜାଣିବାକୁ ଲୋକମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ବେଶ୍ ଭାଇରଲ ହୋଇଛନ୍ତି ମୋନାଲିସା । ମୋନାଲିସାଙ୍କ ଆଖି ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାତ୍ର ୧୦ ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା କୁହାଯାଉଥିବା ବେଳେ ମୋନାଲିସା ଗୁଜବକୁ ଖଣ୍ଡନ କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି, ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥାନ୍ତି ତାହାଲେ କଣ ପାଇଁ ଏଠି ପଡିରହିଛି ଆଉ କଣ ପାଇଁ ଆଜି ଯାଏଁ ମାଳି ବିକୁଛି ।

ସେପଟେ ମୋନାଲିସାଙ୍କ ବାପା ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ନିଜ ସୁନ୍ଦରତା ପାଇଁ ଝିଅ ରାତାରାତି ଭାଇରଲ ହେବା ଆମ ପାଇଁ କାଳ ସାଜିଛି । ୧୦ ଦିନରେ ୧୦ କୋଟି ନୁହେଁ ବରଂ ବ୍ୟବସାୟ ମାଡ଼ ଖାଇଛି, ମାଳି ବିକି ଯେତିକି ରୋଜଗାର କରି ହୋଇଥାନ୍ତା ତାହା ହୋଇପାରିନି । ମାଳମାଳ ଲୋକଙ୍କ ସହ ସେଲ୍ଫି, ୟୁଟ୍ୟୁବରଙ୍କ ଭିଡିଓ ଏବଂ ସାମ୍ବାଦିକଙ୍କ ଗହଳି ବେପାରରେ ବାଧା ଦେଇଛି ତେଣୁ ବ୍ୟବସାୟ ହୋଇପାରିନି ।

ମହାକୁମ୍ଭ ମେଳାରେ ଭାଇରଲ ହୋଇଥିଲେ ଇନ୍ଦୋରର ମୌନି ଭନସଲ । ଯାହାକୁ ସୋସିଆଲ ମିଡିଆରେ ମୋନାଲିସା ବୋଲି କୁହାଯାଉଛି । ମୋନାଲିସା ନିଜ ପରିବାର ସହିତ ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୋତି ମାଳା ବିକ୍ରି କରୁଥିଲେ । ହେଲେ କୌଣସି ୟୁଟ୍ୟୁବର ତାଙ୍କୁ ଭାଇରଲ କରିଦେଇଥିଲେ । ଫଳରେ ତାଙ୍କ ବେପାର ହୋଇ ନଥିଲା । ଲୋକମାନେ ସେଲଫି ନେବା ପାଇଁ ଭି ଜମାଇଥିଲେ । ତେଣୁ ମେଳା ଛାଡି ଚାଲିଆସିଥିଲେ ମୋନାଲିସା । ନିଜର ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସେ ଫେରିଯାଇଥିବା କହି ତାଙ୍କ ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ମୋନାଲିସା ।

Also Read : VIDEO: ଶ୍ରଦ୍ଧାଳୁଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ଯାଉଥିଲା ସ୍ୱତନ୍ତ୍ର ଟ୍ରେନ୍, ଉତ୍ତ୍ୟକ୍ତ ଲୋକେ କଲେ ପଥରମାଡ଼