ଚଣ୍ଡୀଗଡ ୟୁନିଭର୍ସିଟିରେ ଉତ୍ତେଜନା: ଭାଇରଲ ହେଲା ୬୦ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ, ଛାତ୍ର ଗିରଫ

ପଞ୍ଜାବର ଚଣ୍ଡୀଗଡ ୟୁନିଭର୍ସିଟିରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ୬୦ ଜଣ ଛାତ୍ରୀଙ୍କ ଗାଧୋଉଥିବା ଭିଡିଓ କରି ଭାଇରଲ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାକୁ ନେଇ ଛାତ୍ରୀମାନେ ବିଳମ୍ବିତ ରାତିରେ ୟୁନିଭର୍ସିଟିରେ ହଙ୍ଗାମା କରିଥିଲେ। ଝିଅମାନେ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ। ଛାତ୍ରକୁ ଧରିବା ପାଇଁ ଦାବି କରିଥିଲେ। ପୋଲିସ ଭିଡିଓ ଭାଇରଲ କରିଥିବା ଛାତ୍ରଙ୍କୁ ଗିରଫ କରିଛି।  ପୋଲିସ ଅନ୍ୟ ଯୁବକଙ୍କୁ ଗିରଫ ପାଇଁ ଏକ ଟିମ୍‌ ଗଠନ କରିଛି। ଛାତ୍ର ଜଣକ ଭିଡିଓ କରି ଯେଉଁ ଯୁବକଙ୍କ ପାଖକୁ ପଠାଉଥିଲେ, ସେ ଯୁବକଙ୍କୁ ଧରିବା ପାଇଁ ପୋଲିସ ଶିମଲା ଯାଇଛି।

ସୂଚନା ମୁତବାକ, ଛାତ୍ର ଜଣକ ଅନେକ ସମୟରୁ ଛାତ୍ରୀମାନେ ଗାଧୋଉଥିବା ଭିଡିଓ ସୁଟ୍‌ କରୁଥିଲା। ସେ କେବଳ ପୋଷାକ ବଦଳାଇବା କିମ୍ବା ଗାଧୋଇବା ସମୟରେ ଏହି ଭିଡିଓ ତିଆରି କରୁଥିଲେ । ଯାହା ପରେ ସେ ନିଜ ସାଙ୍ଗକୁ ପଠାଉଥିଲେ। ଏହା ବିଷୟରେ ଛାତ୍ରୀମାନେ ଜାଣିବା ପରେ ମ୍ୟାନେଜମେଣ୍ଟକୁ ଅଭିଯୋଗ କରିଥିଲେ। ହେଲେ ମ୍ୟାନେଜମେଣ୍ଟ ଏହି ମାମଲାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଭିଡିଓ କରିଥିବା ଛାତ୍ର ଜଣକ ଅନ୍ୟ ଜଣେ ଯୁବକକୁ ଏହି ଭିଡିଓ ପଠାଇଥିଲେ। ଯାହାକୁ ଧରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଛି।

ଛାତ୍ର ଜଣକ ଝିଅମାନଙ୍କର ଭିଡିଓ ଦୀର୍ଘଦିନରୁ କରି ରଖୁଥିଲା। ଏହାକୁ ଶିମଲାର ଜଣେ ଯୁବକଙ୍କୁ ପଠାଉଥିଲା। ସେହି ଯୁବକ ଜଣକ ଭିଡିଓଗୁଡିକୁ ଇଣ୍ଟରନେଟରେ ଅପଲୋଡ କରୁଥିଲେ। ଆଉ ଏହାକୁ ସୋସିଆଲ ମିଡିଆରେ ଛାତ୍ରୀମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ବିଷୟରେ ଛାତ୍ରୀମାନେ ଜାଣିବା ପରେ ଭିଡିଓ କରିଥିବା ଛାତ୍ରଙ୍କୁ ପଚାରିଥିଲେ। ଛାତ୍ର ଜଣକ ନିଜ ଭୁଲକୁ ସ୍ୱୀକାର କରିଥିଲେ।

ଏହି ଘଟଣା ବିଷୟରେ ଜାଣିବା ପରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଖରାପ ରହିଛି। ଏହି ମାମଲାରେ ପଞ୍ଜାବ ମହିଳା ଆୟୋଗର ଚେୟାରପର୍ସନ ମନୀଷା ଗୁଲାଟି କହିଛନ୍ତି, ଖୁବଶୀଘ୍ର ଏହି ଭିଡିଓକୁ ଇଣ୍ଟରନେଟରୁ ହଟାଯିବ। ଛାତ୍ରୀମାନେ ଧୈର୍ଯ୍ୟ ରଖିବାକୁ ଅନୁରୋଧ।

ସୂଚନା ଅନୁଯାୟୀ ମୋହାଲିର ଏସଏସପି ମଧ୍ୟ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏସ୍ଏସ୍ପି ବିବେକ ସୋନି କହିଛନ୍ତି ଯେ ଏହି ଉତ୍ତେଜନା ବିଷୟରେ ଆମେ ସୂଚନା ପାଇଛୁ, ଏ ବାବଦରେ ଏଫଆଇଆର ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି। ଶିକ୍ଷା ମନ୍ତ୍ରୀ ହରଜତ ସିଂ ଟ୍ୱିଟ୍ କରି ଶାନ୍ତି ବଜାୟ ରଖିବା ପାଇଁ ଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି। କୌଣସି ଦୋଷୀଙ୍କୁ ରକ୍ଷା କରାଯିବ ନାହିଁ।

 

Also Read : ଛି… ପନିପରିବାରେ ପାଣି ବଦଳରେ ପରିସ୍ରା କରି ଛିଞ୍ଚୁଥିଲା ବେପାରୀ, ଭିଡିଓ ଭାଇରଲ ପରେ ଭୁଲ୍‌ ସ୍ୱୀକାର କଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.