ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା; ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଘୋଷଣା

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ନେଇ ଘୋଷଣା କରିଛନ୍ତି। ସିଏମ୍‌ ରେଡ୍ଡୀ ମଙ୍ଗଳବାର ଦିଲ୍ଲୀରେ ଇଣ୍ଟରନ୍ୟାସନାଲ ଡିପ୍ଲୋମେଟିକ ଏଲିୟାନ୍ସ ମିଟ୍‌ରେ ଯୋଗଦେବାକୁ ପହଞ୍ଚିଥିଲେ। ସେ ସମ୍ମିଳନୀରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ‘ଆପଣ ସମସ୍ତଙ୍କୁ ବିଶାଖାପାଟଣା ଆସିବା ପାଇଁ ଆମନ୍ତ୍ରଣ କରୁଛି। ଏହା ଆମ ରାଜଧାନୀ ହେବ। ମୁଁ ବି ବିଶାଖାପାଟଣା ଶିଫ୍ଟ ହେଉଛି’।

ଜଗନ ମୋହନ ରେଡ୍ଡୀ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ଏହାର ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି, ୩ କିମ୍ବା ୪ ମାର୍ଚ୍ଚରେ ବିଶାଖାପାଟଣାରେ ଗ୍ଲୋବାଲ ଇନ୍‌ଭେଷ୍ଟର ସମିଟ୍‌ର ଆୟୋଜନ କରାଯିବ। ଆପଣ ସମସ୍ତଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଏଥିପାଇଁ ଆମନ୍ତ୍ରଣ ଦେବାକୁ ଚାହୁଁଛି।

ଜଗନ ମୋହନ ଆହୁରି କହିଛନ୍ତି, ‘ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ସାଥୀମାନଙ୍କୁ ଏହା ଦେଖାଇବାକୁ ଆମନ୍ତ୍ରିତ କରୁଛି ଯେ ଆନ୍ଧ୍ରପ୍ରଦେଶରେ ବିଜନେସ୍‌ କରିବା କେତେ ସହଜ’। କହି ରଖୁଛୁ, ଏଥି ପୂର୍ବରୁ ଜଗନ ମୋହନ ରେଡ୍ଡୀଙ୍କ ସରକାର ୨୦୨୦ରେ ବିଧାନସଭାରେ ରାଜ୍ୟର ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆଇନ ପାରିତ କରିଥିଲା। ଏହି ଆଇନରେ ଆନ୍ଧ୍ରପ୍ରଦେଶର ୩ ରାଜଧାନୀର କଥା କୁହାଯାଇଥିଲା। ଏହା ମୁତାବକ, ଆନ୍ଧ୍ରପ୍ରଦେଶର କାର୍ଯ୍ୟପାଳିକା ଅର୍ଥାତ୍‌ ସରକାର ବିଶାଖାପାଟଣାରେ କାମ କରି। ରାଜ୍ୟ ବିଧାନସଭା ଅମରାବତୀରେ ରହିବ ଏବଂ ହାଇକୋର୍ଟ କୁର୍ନୁଲରେ ହେବ।

୨୦୧୪ରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଥିଲା। ସେତେବେଳେ ଆନ୍ଧ୍ରପ୍ରଦେଶ ପୁନର୍ଗଠନରେ ବ୍ୟବସ୍ଥା ହୋଇଥିଲା ଯେ ହାଇଦ୍ରାବାଦ ୧୦ ବର୍ଷ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଉଭୟର ରାଜଧାନୀ ରହିବ। ଏହାପରେ ଆନ୍ଧ୍ରପ୍ରଦେଶରେ ରାଜଧାନୀ ପାଇଁ ଜାଗା ଖୋଜା ଆରମ୍ଭ ହୋଇଥିଲା।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀକୁ ନୂଆ ରାଜଧାନୀ ବାଛିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଅମରାବତୀରେ ନୂଆ ରାଜଧାନୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଏହାପରେ ଦ୍ରୁତ ଗତିରେ ସେଠାକାର ବିକାଶ କାମ ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୯ରେ ରାଜ୍ୟରେ ଶାସନ ବଦଳିଥିଲା। ଜଗନ ମୋହନ ରେଡ୍ଡୀ ସରକାର ଆସିବା ପରେ ଅମରାବତୀରେ ବିକାଶ କାର୍ଯ୍ୟକୁ ରୋକି ଦିଆଯାଇଥିଲା। ରେଡ୍ଡୀ ସରକାର ନୂଆ କମିଟି ଗଠନ କରିଥିଲା। ଏହାପରେ ସେ ସଙ୍କେତ ଦେଇଥିଲେ କି, ତାଙ୍କ ସରକାର ୩ ରାଜଧାନୀର ମଡେଲ ଉପରେ ବିଚାର କରୁଛି।

Leave A Reply

Your email address will not be published.