ହାଇଦ୍ରାବାଦରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏଠାରେ ଜଣେ ଦୃଷ୍ଟିବାଧିତ ବୃଦ୍ଧ ଦମ୍ପତି ନିଜର ୩୦ ବର୍ଷୀୟ ପୁଅର ମୃତଦେହ ସହିତ ୪ ଦିନ ରହିଥିଲେ । ପୁଅର ମୃତ୍ୟୁ ପରେ ଦମ୍ପତି ମୃତଦେହ ସହିତ ଏକାଠି ରହି ଆସୁଥିଲେ । କୁହାଯାଉଛି ଯେ ସେମାନଙ୍କୁ ଜଣା ନ ଥିଲା କି, ସେମାନଙ୍କ ପୁଅର ମୃତ୍ୟୁ ହୋଇସାରିଛି ।
ବୃଦ୍ଧ ଦମ୍ପତିଙ୍କ ଘରୁ ଯେତେବେଳେ ଦୁର୍ଗନ୍ଧ ଆସିବାକୁ ଲାଗିଥିଲା, ସେତେବେଳେ ପଡ଼ୋଶୀ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ ।
ପୋଲିସ କହିଛି, ଘରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୩-୪ ଦିନ ପୂର୍ବରୁ ଶୋଇଥିବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି । ବୃଦ୍ଧ ଦମ୍ପତି ଖାଇବା, ପିଇବା ପାଇଁ ପୁଅକୁ ଡାକୁଥିବା ବେଳେ କେହି କିନ୍ତୁ ଶୁଣୁ ନ ଥିଲେ । ଏହି କଥା ପଡ଼ୋଶୀମାନେ ମଧ୍ୟ ଜାଣିପାରୁ ନ ଥିଲେ ।
ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଏକ ସରକାରୀ ହସ୍ପିଟାଲ ପଠାଇଛି ଏବଂ ଏ ନେଇ ମାମଲା ରୁଜୁ କରିଛି ।
ସୂଚନା ମୁତାବକ, କାଲିଭା ରାମନା ଜଣେ ସେବାନିବୃତ୍ତ ସରକାରୀ କର୍ମଚାରୀ ଏବଂ ତାଙ୍କ ପତ୍ନୀ ହେଲେ ଶାନ୍ତି କୁମାରୀ । ଉଭୟଙ୍କ ବୟସ ପାଖାପାଖି ୬୦ ବର୍ଷ । ବଡ଼ପୁଅ ଅନ୍ୟ ଏକ ସହରରେ ଏକୁଟିଆ ରହୁଥିବା ବେଳେ ଦମ୍ପତି ଏଠାରେ ଏକ ଆପାର୍ଟମେଣ୍ଟରେ ସାନପୁଅ ପ୍ରମୋଦଙ୍କ ସହିତ ରହୁଥିଲେ ।
ପ୍ରମୋଦଙ୍କ ପତ୍ନୀ କିଛି ବର୍ଷ ତଳୁ ତାଙ୍କୁ ଛାଡ଼ପତ୍ର ଦେଇ ଦୁଇ ଝିଅଙ୍କୁ ନେଇ ପଳାଇଥିଲେ । ପୋଲିସ କହିଛି, ମୃତ ପ୍ରମୋଦ ପ୍ରଚୁର ନିଶାପାନ କରୁଥିଲେ । ପୋଲିସ ଘରେ ପହଞ୍ଚିଲା ବେଳକୁ ବୃଦ୍ଧ ଦମ୍ପତି ବେହୋଶ୍ ଅବସ୍ଥାରେ ମିଳିଥିଲେ । ଏହାପରେ ସେମାନଙ୍କୁ ଖାଦ୍ୟ, ପାନୀୟ ଦିଆଯାଇ ବଡ଼ପୁଅଙ୍କ ପାଖରେ ଛାଡ଼ି ଦିଆଯାଇଛି ।