ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ବୁଥ ଆଗରେ ଲାଗିଲାଣି ଲମ୍ବା ଲାଇନ । ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୪୩ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ବହୁ ହେଭିୱେଟଙ୍କ ସମେତ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ପ୍ରଥମ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ ଏକ କୋଟି ୩୭ ଲକ୍ଷ ୧୦ ହଜାର ୭୧୭ ମତଦାତା । ସେମାନଙ୍କ ମଧ୍ୟରୁ ୬୮ ଲକ୍ଷ ୭୩ ହଜାର ୪୫୫ ପୁରୁଷ, ୬୮ ଲକ୍ଷ ୩୬ ହଜାର ୯୫୯ ମହିଳା ଏବଂ ୩୦୩ ଜଣ ତୃତୀୟ ଲିଙ୍ଗୀ । ତେବେ ନିର୍ଣ୍ଣାୟକ ଭୂମିକା ନେବେ ଓଡ଼ିଆ ଭୋଟର। ଝାଡ଼ଖଣ୍ଡରେ ଅଛନ୍ତି ପ୍ରାୟ ୧୮ ପ୍ରତିଶତ ଓଡ଼ିଆ ଭୋଟର। ଏଥର ୮୨ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ନଭେମ୍ବର ୨୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।