ଦିଲ୍ଲୀରେ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

ଦିଲ୍ଲୀରେ ସରିଲା ମତଦାନ । ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଥିଲେ ।
ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲୀର ମୁସ୍ତାଫାବାଦରେ ସର୍ବାଧିକ ୬୬.୬୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କରୋଲବାଗରେ ସର୍ବନିମ୍ନ ୪୭.୪୦ ପ୍ରତିଶତ ଭୋଟିଂ ହୋଇଛି । ଫେବୃୟାରୀ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଆସିବ ।
କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଥିବା ବେଳେ ଏଥର ଦିଲ୍ଲୀ ଛଡ଼ାଇ ନେବାକୁ ବଳ ଲଗାଇଛି ବିଜେପି ।
୧୩ ହଜାର ୭୬୬ଟି ବୁଥରେ ୧ କୋଟି ୫୬ ଲକ୍ଷ ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହୋଇଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଟକ୍କର ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଦିଲ୍ଲୀର କିଛି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ନୂଆଦିଲ୍ଲୀ ବିଧାନସଭା ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଇଥିଲେ ବିଜେପି ନେତା ପରଭେଶ ବର୍ମା ।
ଏହା ମଧ୍ୟ ପଢ଼ନ୍ତୁ: କାହାର ହେବ ଦିଲ୍ଲୀ ? ବିଧାନସଭା ନିର୍ବାଚନ ପାଇଁ ସକାଳ ୭ରୁ ମତଦାନ ଜାରି