ଲୋକସଭାରେ ୱାକଫ ସଂଶୋଧନ ବିଲ୍ ପାରିତ, ସପକ୍ଷରେ ପଡିଲା ୨୮୮ ଭୋଟ୍‌

ଲୋକସଭାରେ ଗୃହୀତ ହେଲା ୱାକଫ୍ ସଂଶୋଧନ ବିଲ୍ । ବିରୋଧୀ ଦଳମାନଙ୍କ ଜୋର୍ ଦାର୍ ବିରୋଧ ଭିତରେ ବିବାଦୀୟ ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ଲୋକସଭାରେ ଗୃହୀତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲ୍ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା ୧୨ ଘଣ୍ଟାକୁ ବୃଦ୍ଧି ପାଇଥିଲା । ଶାସକ ଏନ୍ ଡିଏ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ବିତର୍କ ପରେ ରାତି ସାଢ଼େ ୧୨ଟାରେ ଭୋଟ୍ ଗ୍ରହଣ ହୋଇଥିଲା । ବାଚସ୍ପତି ଓମ୍ ବିର୍ଲା ୧୨ଟା ୪୦ରେ ଫଳାଫଳ ଘୋଷଣା କରିଥିଲେ । ବିଲ୍ ସପକ୍ଷରେ ୨୮୮ ଜଣ ଭୋଟ୍ ଦେଇଥିବା ବେଳେ ବିଲ୍ ବିରୋଧରେ ୨୩୨ ଜଣ ଭୋଟ୍ ଦେଇଥିଲେ। ଏହାପରେ ସାଂସଦଙ୍କ ଦ୍ବାରା ଆଗତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା । ଆଜି ୱାକଫ ବିଲ୍ ରାଜ୍ୟସଭାରେ ଆଗତ ହେବ।

୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍‌ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍‌ର ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର ।

ସେହିପରି ୱାକଫ ସଂଶୋଧନ ବିଲ୍କୁ ବିରୋଧୀ ସାଂସଦ ମାନେ ଅସାମ୍ବିଧାନିକ ବୋଲି କହିବାରୁ କିରେନ ରିଜିଜୁ ଏହାକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ୱାକଫ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଦଶନ୍ଧି ଧରି ରହିଆସିଛି ଏବଂ କୋର୍ଟ ଏହାକୁ ରଦ୍ଦ କରି ନାହାନ୍ତି । ଏପରି ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମୁସଲମାନ ୱାକଫ ବିଲ୍, ୨୦୨୪ ମଧ୍ୟ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଗରିବ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବେ । ବିଲ୍‌ ପାସ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ ଚାଲିଥିଲା । ୧୨  ଘଣ୍ଟା ଧରି ବତର୍କ ହୋଇଥିଲା । ଏହି ବିଲ୍‌କୁ ମୁସଲିମ ବିରୋଧି ବୋଲି ବିରୋଧୀ ମାନ କହିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିବା ସତ୍ବେ କିଛି ସଦସ୍ୟ ସତ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି କହିଥିଲେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ।

 

ଆହୁରି ପଢ଼ନ୍ତୁ : ନୂଆ ଶିକ୍ଷାନୀତିକୁ ନେଇ ସୋନିଆ-ଧର୍ମେନ୍ଦ୍ରଙ୍କ ବିତର୍କ, କାଉଣ୍ଟର ଆଟାକ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ