ଲୋକସଭାରେ ଆଜି ଆଗତ ହେବ ସଂଶୋଧିତ ୱାକଫ ବିଲ୍‌, ୮ ଘଣ୍ଟା ଧରି ଚାଲିବ ବିତର୍କ

ଆଜି ଲୋକସଭାରେ ଦିନ ୧୨ଟାରେ ଉପସ୍ଥାପନ ହେବ ସଂଶୋଧିତ ୱାକଫ ବିଲ ।  ୮ ଘଣ୍ଟା ଧରି ଏହା ଉପରେ ବିତର୍କ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସଂସଦର ସହମତିରେ ଆବଶ୍ୟକ ପଡ଼ିଲେ ବିତର୍କର ଅବଧି ବୃଦ୍ଧି କରାଯିବ । ସଂସଦରେ ଉପସ୍ଥିତ ରହିବାକୁ ବିଜେପି ସମସ୍ତ ସାଂସଦଙ୍କୁ ତିନି ଧାଡିଆ ହ୍ବିପ ଜାରି କରିଛି । କଂଗ୍ରେସ ମଧ୍ୟ ବିତର୍କ ବେଳେ ଉପସ୍ଥିତ ରହିବାକୁ ତିନିଧାଡ଼ିଆ ହ୍ବିପ ଜାରି ହୋଇଛି । ବିଲକୁ ଏନଡିଏର ସହଯୋଗୀ ଦଳ ଟିଡିପି ନିଃସର୍ତ୍ତ ସମର୍ଥନ ଦେବ କହିଥିବା ବେଳେ ଜେଡିୟୁ ସର୍ତ୍ତମୂଳକ ସମର୍ଥନ ଦେଇଛି ।

ସେପଟେ ୱାକଫ ବିଲ୍ ବିରୋଧରେ ଏକାଠି ହୋଇଛନ୍ତି ବିରୋଧୀ । ବିଲକୁ ଜୋରଦାର ବିରୋଧ କରିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇଣ୍ଡିଆ ମେଣ୍ଟର ପ୍ରାୟ ସମସ୍ତ ଦଳ ଯୋଗ ଦେଇଥିଲେ । ଏହି ବୈଠକରେ ବିଲରେ ହୋଇଥିବା ସଂଶୋଧନକୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଛି । ୱାକଫ ବୋର୍ଡ ପୁନଃଗଠନ ଓ ୱାକଫ ସମ୍ପତ୍ତି ପରିଚାଳନା ପାଇଁ ୱାକଫ ବିଲରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ସଂଶୋଧିତ ବିଲରେ ୱାକଫ ସଂପତ୍ତି ସହ ସମସ୍ତ ମାମଲାରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଓ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ସଂପତ୍ତି ୱାକଫ ବୋର୍ଡର କି ନୁହେଁ, ତାହା ସ୍ଥିର କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳ ରାଙ୍କର ଅଧିକାରୀଙ୍କୁ ନିଯୁକ୍ତ କରିପାରିବେ ।

 

 

ଆହୁରି ପଢ଼ନ୍ତୁ :  ମହାକାଶରୁ ଭାରତ ବହୁତ ସୁନ୍ଦର ଦେଖାଯାଉଥିଲା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କଲି : ସୁନୀତା ୱିଲିୟମ୍ସ