ଦିଲ୍ଲୀରେ ପାଣି ନାହିଁ, ଗମ୍ଭୀର ଜଳ ସଙ୍କଟ ପାଇଁ ଦାୟୀ ହରିୟାଣା ! ସୁପ୍ରିମ୍କୋର୍ଟ ଯିବେ କେଜ୍ରିଓ୍ଵାଲ ସରକାର

ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ଗମ୍ଭୀର ଜଳ ସଙ୍କଟ । ଗତ କିଛି ଦିନ ହେବ କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇପାରୁ ନାହିଁ । ଏଭଳି ସ୍ଥିତି ପାଇଁ ଆମ୍ ଆଦ୍ମୀ ପାର୍ଟି (ଆପ୍) ହରିୟାଣାକୁ ଦାୟୀ କରିଛି । ହରିୟାଣାରୁ ଦିଲ୍ଲୀକୁ ଯମୁନା ପାଣି ଛଡ଼ା ନ ଯିବା ଏହାର ବଡ଼ କାରଣ ବୋଲି ଆପ୍ କହିଛି । ଦିଲ୍ଲୀ, ଯମୁନା ପାଣି ଉପରେ ନିର୍ଭରଶୀଳ ଏବଂ ଏହାଦ୍ୱାରା ଜଳ ବିଶୋଧନ ପ୍ଲାଣ୍ଟ୍ ଚାଲୁଛି । ଯମୁନାରୁ ଓ୍ଵାଜିରାବାଦ, ଚନ୍ଦ୍ରାଓ୍ଵାଲ ଏବଂ ଓଖଲା ପ୍ଲାଣ୍ଟକୁ ପାଣି ଯୋଗାଣ ହୋଇଥାଏ । ବର୍ତ୍ତମାନ ଯମୁନାର ଜଳସ୍ତର ରହିଛି ୬୭୦.୩ ଫୁଟ୍ ।
ଆପ୍ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଆତିସୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ପ୍ରସଙ୍ଗକୁ ନେଇ ସୁପ୍ରିମ୍କୋର୍ଟରେ ମାମଲା ଦାୟର କରୁଛନ୍ତି । ଆମେ ସୁପ୍ରିମ୍କୋର୍ଟ ଯାଉଛୁ । ହରିୟାଣା ଏବଂ ୟୁପିର ଭାଗରୁ ଯେଉଁଠୁ ପାଣି ଆସେ, ସେଠାରୁ ଦିଲ୍ଲୀବାସୀଙ୍କୁ ସେମାନଙ୍କ ଅଧିକାରର ପାଣି ଦେବାକୁ କୋର୍ଟ ଆଦେଶ ଦିଅନ୍ତୁ ।
ଆତିସୀ ଆହୁରି କହିଛନ୍ତି, ଆମେ ଏକ ସେଣ୍ଟ୍ରାଲ ଓ୍ଵାଟର ଟ୍ୟାଙ୍କର ‘ଓ୍ଵାର୍ ରୁମ୍’ ଦିଲ୍ଲୀ ଜଳ ବୋର୍ଡରେ ସ୍ଥାପନ କରୁଛୁ । ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ଏହି ଓ୍ଵାର୍ ରୁମ୍ ପରିଚାଳିତ ହେବ । ଯେଉଁ ବି ଦିଲ୍ଲୀବାସୀ ପାଣି ଟ୍ୟାଙ୍କର୍ ଚାହୁଁଛନ୍ତି, ସେମାନେ 1916କୁ କଲ୍ କରିପାରିବେ । ୫ ତାରିଖରୁ ଦିଲ୍ଲୀର ପ୍ରତ୍ୟେକ ୱାଟର ଜୋନ୍ରେ ଜଣେ ଏଡିଏମ୍ ସ୍ତରୀୟ ଏବଂ ଜଣେ ଏସ୍ଡିଏମ୍ ସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯିବ । ସେମାନେ ଏକ ତ୍ୱରିତ ପ୍ରତିକ୍ରିୟା ଟିମ୍ ଗଠନ କରିବେ, ଯାହା ଜଳାଭାବ ଥିବା ଅଞ୍ଚଳରେ ଉପଲବ୍ଧ ରହିବ । ଆମେ ଦିଲ୍ଲୀ ଜଳ ବୋର୍ଡର ୨୦୦ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରୁଛୁ, ଯାହା ଜଳର ଅପଚୟ ଯାଞ୍ଚ କରିବ ।
ଆତିଶୀ କହିଛନ୍ତି ଯେ କାର୍ ୱାଶିଂ ସେଣ୍ଟରରେ ପାନୀୟ ଜଳ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହିପରି ନିର୍ମାଣ ସ୍ଥଳରେ ମଧ୍ୟ ପାନୀୟ ଜଳ ଟ୍ୟାଙ୍କର୍ କିମ୍ବା ବୋରୱେଲରୁ ପାଣି ବ୍ୟବହାର କରାଯିବ ନାହିଁ । ଯଦି କୌଣସି ସାଇଟ୍ରେ ପାଇବା ପାଣି ବ୍ୟବହାର ହୁଏ, ତେବେ ସାଇଟ୍ ସିଲ୍ ହୋଇଯିବ ।