ନବନିର୍ମିତ ସଂସଦ ଭବନ ବିଲ୍ଡିଂରୁ ଗଳୁଛି ବର୍ଷା ପାଣି, କଂଗ୍ରେସ ସାଂସଦ ସେୟାର କଲେ ଭିଡିଓ

ନୂଆ ସଂସଦ ଭବନ ବିଲ୍ଡିଂରୁ ଗଳୁଛି ବର୍ଷା ପାଣି । ଦିଲ୍ଲୀରେ ପ୍ରବଳ ବର୍ଷା ପରେ ସଂସଦ ଭବନ ଭିତରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ନିକଟରେ ନିର୍ମାଣ କାମ ଶେଷ ହୋଇ ସଂସଦର ଏହି ନୂତନ ବିଲ୍ଡିଂ ଖୋଲିଥିଲା । ମାତ୍ର ବର୍ଷ ପୂରୁଣୁ ଅବସ୍ଥା ଏମିତି ହୋଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସଂସଦ ଭବନ ବିଲ୍ଡିଂରୁ ପାଣି ଗଳୁଥିବାର ଦେଖାଯାଉଛି ।

ଗତକାଲି ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ ହୋଇଛି । ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଏହାରି ଭିତରେ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିିଛି । ନୂଆ ସଂସଦ ଭବନ ବିଲ୍ଡିଂରୁ ବର୍ଷା ପାଣି ଗଳୁଥିବା ଏଥିରେ ଦେଖିବାକୁ ମିଳୁଛି ।

ତାମିଲନାଡ଼ୁ ବିରୁଧୁନଗର ଲୋକସଭା ଆସନରୁ କଂଗ୍ରେସ ସାଂସଦ ମଣିକମ୍‌ ଟାଗୋର ଭିଡିଓଟିକୁ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଏବଂ ପାଣି ଯେପରି ବିସ୍ତାର ନ ହେବ, ସେଥିପାଇଁ ଚଟାଣରେ ଏକ ବଡ଼ ବାଲ୍ଟି ରଖାଯାଇଛି ।

କଂଗ୍ରେସ ନେତା ଲେଖିଛନ୍ତି ଯେ ‘ବାହାରେ ପେପର୍‌ ଲିକ୍‌, ଭିତରେ ପାଣି ଲିକ୍‌ । ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସଂସଦ ଲବିରେ ହେଉଥିବା ପାଣି ଲିକ୍‌ ନୂଆ ଭବନରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦର୍ଶାଉଛି । ନିର୍ମାଣ ସମ୍ପୂର୍ଣ୍ଣ ହେବାର ମାତ୍ର ଗୋଟିଏ ବର୍ଷ ପରେ ହିଁ ଏହି ଦୃଶ୍ୟ ସାମ୍ନାକୁ ଆସିଛି’ ।

ଏହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସଂସଦ ଛାତରୁ ପାଣି ଲିକ୍‌କୁ ନେଇ ସରକାରଙ୍କୁ ଘେରିଛନ୍ତି । ସେ ଭିଡିଓ ସେୟାର କରି କହିଛନ୍ତି, ‘ଏହି ନୂଆ ସଂସଦଠାରୁ ଭଲ ଥିଲା ସେହି ପୁରୁଣା ସଂସଦ, ଯେଉଁଠି ପୁରୁଣା ସାଂସଦମାନେ ମଧ୍ୟ ଆସି ଭେଟି ପାରୁଥିଲେ’ ।

You might also like