ତାଜ ମହଲ । ଯାହାର ନାଁ ଶୁଣିଲେ ପ୍ରଥମେ ଶାହଜାହାନ ଏବଂ ମୁମତାଜଙ୍କ କଥା ହିଁ ମନେ ପଡ଼ିଯାଏ । ଯାହା ବର୍ତ୍ତମାନ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଇତିହାସ ଅନୁସାରେ, ତାଜମହଲର ନିର୍ମାଣ ୧୬୩୦ ମସିହାରେ ଆରମ୍ଭ ହୋଇଥିଲା, ଯାହାକି ସମ୍ପୂର୍ଣ୍ଣ ହେବାକୁ ୨୨ ବର୍ଷ ସମୟ ଲାଗିଥିଲା । ମୁମତାଜଙ୍କ ସ୍ମୃତିରେ ଶାହାଜାହାନ ନିର୍ମାଣ କରିଥିଲେ ତାଜମହଲ । ଏହି ସ୍ଥାନକୁ ବୁଲିବା ପାଇଁ ପ୍ରତି ବର୍ଷ ଅନେକ ଲୋକ ଆସିଥାନ୍ତି କାରଣ ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ।
ଧଳାମାର୍ବଲ ପଥରରେ ନିର୍ମିତ ଏହି ସଂରଚନା ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ନିଜ ସୌନ୍ଦର୍ଯ୍ୟ ଯୋଗୁଁ ଏହା ବିଶେଷ ଭାବରେ ଲୋକଙ୍କୁ ଆକର୍ଷିତ କରେ । କିନ୍ତୁ ଆପଣ ଜାଣି ଚକିତ ହେବେ କି ଏହି ତାଜ ମହଲ ଉପରକୁ ଆସିଛି ବିପଦ ! ହଁ ଆଜ୍ଞା କୁହାଯାଉଛି କି ତାଜମହଲରେ ସୃଷ୍ଟି ହେଲାଣି ଫାଟ ! ସତରେ ତାଜମହଲରେ କଣ ଦେଖାଣି ଫାଟ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରିଛି । କାହିଁକିନା ଅହରହ ବର୍ଷା ପରେ ତାଜମହଲ ମୁଖ୍ୟ ଗମ୍ବୁଜରେ ଗଳୁଛି ପାଣି ।
ଉତ୍ତର ପ୍ରଦେଶରେ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ତାଜମହଲ ସମେତ ଅନେକ ଐତିହାସିକ କଳାକୃତି କ୍ଷତିଗ୍ରସ୍ତ ହୋଇଛି । ତେବେ ତାଜମହଲ ମୁଖ୍ୟ ଗମ୍ବୁଜରେ ପାଣି ଗଳିବା ପରେ ଏବେ ନୀରିକ୍ଷଣ କରୁଛି ଏଏସଆଇ । ପ୍ରବଳ ବର୍ଷା ଯୋଗୁ ତାଜମହଲ ଚାରିପାଖରେ ଜଳାର୍ଣ୍ଣବ ପରିସ୍ଥିତି ଦେଖିବାକୁ ମିଳିଛି । ଯାହାର ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସେହିଭଳି କେଉଁ ସ୍ଥାନରୁ ପାଣି ଗଳୁଛି ତାର ଅନୁଧ୍ୟାନ ଚାଲିଥିବା କହିଛନ୍ତି ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ରାଜକୁମାର ପଟେଲ୍ । ମୁଖ୍ୟ ସମାଧି ସୌଧ ଭିତରେ ଆର୍ଦ୍ରତା ରହିଥିବା ବି ଜଣାପଡିଛି । ସେପଟେ ଗମ୍ବୁଜରେ ସୂକ୍ଷ୍ମ ଫାଟ ଯୋଗୁଁ ପାଣି ଗଳୁଥିବା ସନ୍ଦେହ କରାଯାଉଛି । ଯାହା ବି କ୍ଷୟକ୍ଷତି ହୋଇଛି ତାର ମରାମତି କରାଯିବ । ବର୍ଷା କମିଲେ ତାଜମହଲ ଚାରି ପାର୍ଶ୍ୱରୁ ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ।