ୱାୟନାଡ଼ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି, ବିପର୍ଯ୍ୟୟର ସୁଯୋଗ ନେଇ ଘରେ ଘରେ ମାତିଛନ୍ତି ଚୋର

ନୂଆଦିଲ୍ଲୀ : ପଞ୍ଚମ ଦିନରେ କେରଳ ୱାୟନାଡ଼ ରେସକ୍ୟୁ ଅପରେସନ। ଦିନ ଯେତେ ଗଡ଼ୁଛି ସେତେ ତ୍ବରାନ୍ବିତ ହେଉଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ୩୬୧ରେ ପହଞ୍ଚିଲାଣି । ଆହୁରି ବଢ଼ିପାରେ। ଏବେ ବି ୨୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏଯାବତ ୩୪୧ଟି ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି ଏବଂ ୧୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ହସ୍ପିଟାଲରେ ମୋଟ୍‌ ୫୧୮ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୯ ଜଣଙ୍କୁ ଡିସଚାର୍ଜ କରାଯାଇଛି।

ଏଥିସହ ଚେଲିୟାର ନଦୀରୁ ମୋଟ୍‌ ୧୯୮ଟି ମର ଶରୀର ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ କେରଳ ସରକାର ଆଜି ମୁଣ୍ଡାକାଇ ଏବଂ ଚୁରାଲମାଲାରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ୪ କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା କରିଛନ୍ତି। ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ଏକ ନୂଆ ବସତି ସ୍ଥାପନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଅନ୍ୟପଟେ ରେସକ୍ୟୁ ଅପରେସନ୍ ଯେତିକି ବଢ଼ୁଛି, ମାଟି ତଳୁ ସେତିକି ଉଦ୍ଧାର ହେଉଛି ମୃତଦେହ। ବଡ଼ବଡ଼ ପଥର ଖଣ୍ଡ ତଳୁ ଜୀବନ ବି ଉଦ୍ଧାର ହେଉଛି। ବେଲି ବ୍ରିଜ୍ କାର୍ଯ୍ୟକ୍ଷମ ହେବା ପରେ ଶୁକ୍ରବାର ଠାରୁ ତ୍ବରାନ୍ବିତ ହୋଇଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାରକାରୀ ଦୁର୍ଗମ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଜୀବନର ସନ୍ଧାନ ପାଇଁ ଡିପ୍ ସର୍ଚ୍ଚ ରାଡାର ମୁତୟନ କରିବାକୁ କେନ୍ଦ୍ର ପାଖରେ ଦାବି ରଖିଛି କେରଳ । ମାଟି ପଥର ଓ ଭୁଶୁଡ଼ି ପଡ଼ିଥିବା ଘରର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜି ପାରିବ ଡିପ୍ ସର୍ଚ୍ଚ ରାଡାର ।

ଅନ୍ୟପଟେ ଏଭଳି ଏକ ବିପର୍ଯ୍ୟୟ ସମୟରେ ଅମାନବିକତାର ଖବର ଆସୁଛି ୱାୟନାଡରୁ। ଭୂସ୍ଖଳନ ପରେ ବଞ୍ଚିଥିବା ଲୋକେ ଘର ଦ୍ବାର ଛାଡ଼ି ଏବେ ରିଲିଫ୍ କ୍ୟାମ୍ପରେ ରହୁଛନ୍ତି । ଏହାର ସୁଯୋଗ ନେଇ ଚୋର ମାତିଛନ୍ତି । ଘରେ ପଶି ଚୋରି କରୁଛନ୍ତି । ଥାନାକୁ ଆସୁଛି ଏଭଳି ମାମଲା । ଫଳରେ ନାଇଟ ପାଟ୍ରୋଲ ଆରମ୍ଭ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like