ଓ୍ଵାୟନାଡ ଭୂସ୍ଖଳନ : ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ନିୟୋଜିତ, ୬୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେରଳ ଓ୍ଵାୟନାଡରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି । ଏବେ ବି ଅନେକ ଲୋକ ଫସିଛନ୍ତି । ଏହାରି ମଧ୍ୟରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତୀୟ ସେନାର ପ୍ରମୁଖଙ୍କ ସହିତ କଥାବାର୍ତ୍ତା କରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନାକୁ ନିୟୋଜିତ କରିଛନ୍ତି । ସେନା ଟିମ୍ ଓ୍ଵାୟନାଡରେ ପହଞ୍ଚିସାରିଲାଣି ।
ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜେପି ନଡ୍ଡା, ମଲ୍ଲିକାଜୁର୍ନେ ଖଡଗେ, ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧି ମୃତକଙ୍କ ପରିବାରକୁ ତତ୍କାଳ ସହାୟତା ରାଶି ଦେବାକୁ କହିଛନ୍ତି । ଆଉ ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ଯୋଗାଇବାକୁ କହିଛନ୍ତି ।
ମୃତକଙ୍କ ମଧ୍ୟରେ ପିଲା ରହିଛନ୍ତି । ସେହିପରି ଭୂସ୍ଖଳନ ଯୋଗୁ ୧୦୦ରୁ ଅଧିକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ଓ୍ଵାୟନାଡ ଜିଲ୍ଲାର ମେପ୍ପଡୀ, ମୁଣ୍ଡକ୍କଇ ଟାଉନ ଏବଂ ଚରୁଲ ମାମଲା ଅଞ୍ଚଳରେ ହୋଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ୨ ଲକ୍ଷ ଟଙ୍କା ଏବଂ ଆତହଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ରହିଛନ୍ତି । ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର MI 17 ଓ ALH ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି । ସେ କହିଛନ୍ତି, ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ । ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହେଲପଲାଇନ ନମ୍ବର ଜାରି ହୋଇଛି । ଜରୁରୀକାଳୀନ ସହାୟତା ପାଇଁ ୯୬୫୬୯୩୮୬୮୯ ଏବଂ ୮୦୮୬୦୧୦୮୩୩ ନମ୍ବରକୁ କଲ୍ କରିବାକୁ କୁହାଯାଇଛି । ତେବେ ହସ୍ପିଟାଲରେ ସମସ୍ତେ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବାୟୁସେନା ଉଦ୍ଧାର କାର୍ଯ୍ୟରେ ଲାଗିଛି ।