ୱାୟନାଡ଼ ଭୂସ୍ଖଳନ: ୨୭୬ ମୃତ, ଏବେ ବି ମାଟି ତଳୁ ଚାଲିଛି ରେସ୍କୁ ଟିମର ଜୀବନ ଖୋଜା

ନୂଆଦିଲ୍ଲୀ : ଭୂସ୍ଖଳନକୁ ୩ ଦିନ ବତିଲାଣି । ମାଟିତଳୁ ଜୀବନର ସଂଧାନ ଚାଲିଛି। ଶୋଇଥିବା ଅବସ୍ଥାରେ କିଏ ଭାସିଗଲା, କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । କାହାର ମାଟି ତଳୁ ଖଣ୍ଡ ବିଖଣ୍ଡିତ ହାତ ମିଳୁଛି ତ କାହାର ଗୋଡ଼ । ଏବେ ବି ସରୁନି ଉଦ୍ଧାର କାର୍ଯ୍ୟ । ଉଦ୍ଧାରକାରୀ ଟିମଙ୍କ କହିବା ଅନୁଯାୟୀ ଦେଢ଼ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି । ୨୦୦ରୁ ଅଧିକ ଲୋକ ଉଦ୍ଧାର ପରେ ଚିକିତ୍ସିତ ହେଉଛନ୍ତି । ଏବେ ବି ୨୨୫ ରୁ ଅଧିକ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ି ୨୭୬ରେ ପହଞ୍ଚିଛି । ଆଗକୁ ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା । ସବୁ ବ୍ରିଜ୍ ଧୋଇ ଯାଇଥିବାରୁ ଉଦ୍ଧାରକାରୀ ଟିମ୍ ଅନେକ ସ୍ଥାନରେ ପହଞ୍ଚି ପାରୁ ନାହାନ୍ତି । ବଡ଼ ବଡ଼ ଯନ୍ତ୍ରପାତି ମଧ୍ୟ ପହଞ୍ଚି ପାରୁନି। ବିଛିନ୍ନାଞ୍ଚଳକୁ ସଂଯୋଗ ପାଇଁ ବେଲି ବ୍ରିଜ୍ ତିଆରି ହେଉଛି । ଏହି ବ୍ରିଜ୍ ନିର୍ମାଣ ପରେ ବଡ଼ବଡ଼ ଯନ୍ତ୍ରପାତି ଭୂସ୍ଖଳନ ଅଞ୍ଚଳରେ ପହଞ୍ଚି ପାରିବ। ଫଳରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରିବ ବୋଲି ଆଶା ରହିଛି ।
ଅନ୍ୟପଟେ ପାଗ ଅନୁକୂଳ ନଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇଛି । ୱାୟନାଡ଼ ସମେତ କେରଳର ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ସ୍ଥାନୀୟ ଲୋକଙ୍କୁ ଅଧିକ ଛାନିଆ କରିଛି । ଏବେ ୩୯ଟି ରିଲିଫ୍ କେନ୍ଦ୍ରରେ ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ମୃତକଙ୍କ ସ୍ମୃତିରେ ଆଜିଠୁ କେରଳରେ ଦୁଇ ଦିନିଆ ଶୋକ ପାଳନ କରାଯାଉଥିବାବେଳେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ କଥା ହୋଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ସେନା ଦ୍ବାରା ଚାଲିଥିବା ଉଦ୍ଧାର ଅଭିଯାନ ସଂକ୍ରାନ୍ତରେ ବୁଝିଛନ୍ତି । ସ୍ଥଳସେନା ଏବଂ ନୌସେନାର ଅଧିକ ସଦସ୍ୟ ଆଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି । ମାଟିତଳୁ, ଭଙ୍ଗାଘରୁ ଏବଂ ପଙ୍କ କାଦୁଅରେ ପୋତି ହୋଇଯାଇଥିବା ଘରୁ ସେନା ସଦସ୍ୟ ମୃତଦେହ ଖୋଜୁଛନ୍ତି । ମୃତଦେହଗୁଡ଼ିକୁ ମେପ୍ପଡ଼ି ପରିବାର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ନିଲମ୍ବୁର ସରକାରୀ ହସ୍ପିଟାଲରେ ରଖାଯାଉଛି । ସେପଟେ ଆଜି ୱାୟନାଡ଼ ଯାଇପାରନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ପାଗ ଖରାପ ଯୋଗୁଁ ଗତକାଲି ତାଙ୍କ ଗସ୍ତକୁ ସ୍ଥଗିତ କରିଥିଲେ ।