ଓ୍ଵାୟନାଡ ଭୂସ୍ଖଳନ : ମାଟିତଳେ ଦବିଛନ୍ତି ଅନେକ ଲୋକ, ୫୦୦ଙ୍କ ପତ୍ତା ମିଳୁନି

କେରଳ ଓ୍ଵାୟନାଡ ଜିଲ୍ଲାରେ ସୋମବାର ହୋଇଥିବା ଭୂସ୍ଖଳନରେ ଚାରିଟି ଗାଁ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଛି । ଏପର୍ଯ୍ୟନ୍ତ ୨୭୬ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫୦୦ ଲୋକଙ୍କ ପତ୍ତା ମିଳୁନି । ୩୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଜି ତୃତୀୟ ଦିନରେ କେରଳ ୱାୟନାଡ଼ରେ ସର୍ଚ୍ଚ ଓ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ବି ଲାଗିଛି। ସେନା ଓ ଏନଡିଆରଏଫ ଟିମ୍ ସହ ବହୁ ରେସକ୍ୟୁ ଏଜେନ୍ସୀ ସାମିଲ ହୋଇଛନ୍ତି ।

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଙ୍କ କାଦୁଅ, ଗଛର ବଡ ବଡ ଗଣ୍ଡି ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ଦେଢ଼ ହଜାରରୁ ଅଧିକ ଆର୍ମୀ ଯବାନ ଅପରେସନରେ ସାମିଲ ହୋଇଛନ୍ତି । ରେସକ୍ୟୁ ଅପରେସନରେ ସମନ୍ବୟ ରକ୍ଷା ପାଇଁ କୋଝିକୋଡରେ କମାଣ୍ଡ ସେଣ୍ଟର ସ୍ଥାପନ ହୋଇଛି । ଦେଢ଼ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି । ବିଛିନ୍ନାଞ୍ଚଳକୁ ସଂଯୋଗ ପାଇଁ ବେଲି ବ୍ରିଜ୍ ତିଆରି ହେଉଛି । ଏହି ବ୍ରିଜ୍ ଦେଇ ବଡ଼ବଡ଼ ଯନ୍ତ୍ରପାତି ଭୂସ୍ଖଳନ ଅଞ୍ଚଳରେ ପହଞ୍ଚି ପାରିବ । ଫଳରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେବ ।

ଆଜି ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଓ୍ଵାୟନାଡ ଗସ୍ତ କରିଛନ୍ତି । ଦୁହେଁ ଭୂସ୍ଖଳନ ପ୍ରଭାବିତ ପରିବାର ସହିତ ସାକ୍ଷାତ କରିବେ । ଅନ୍ୟପଟେ ପାଗ ଅନୁକୂଳ ନଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇଛି । ୱାୟନାଡ଼ ସମେତ କେରଳର ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ସ୍ଥାନୀୟ ଲୋକଙ୍କୁ ଅଧିକ ଛାନିଆ କରିଛି । ଏବେ ୩୯ଟି ରିଲିଫ୍ କେନ୍ଦ୍ରରେ ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ମାଟିତଳୁ, ଭଙ୍ଗାଘରୁ ଏବଂ ପଙ୍କ କାଦୁଅରେ ପୋତି ହୋଇଯାଇଥିବା ଘରୁ ସେନା ସଦସ୍ୟ ମୃତଦେହ ଖୋଜୁଛନ୍ତି । ମୃତଦେହଗୁଡ଼ିକୁ ‌ମେପ୍ପଡ଼ି ପରିବାର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ନିଲମ୍ବୁର ସରକାରୀ ହସ୍ପିଟାଲରେ ରଖାଯାଉଛି ।

ଏହି ଘଟଣା ଓ୍ଵାୟନାଡ ଜିଲ୍ଲାର ମେପ୍ପଡୀ, ମୁଣ୍ଡକ୍କଇ ଟାଉନ ଏବଂ ଚରୁଲ ମାମଲା ଅଞ୍ଚଳରେ ହୋଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ୨ ଲକ୍ଷ ଟଙ୍କା ଏବଂ ଆତହଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ରହିଛନ୍ତି ।