ବୀରଭୂମି ହିଂସା: ଆମକୁ ଘରେ ବନ୍ଦ କରି ନିଆଁ ଲଗାଇଦେଇଛନ୍ତି, ଜଲଦି ପୋଲିସକୁ ପଠାଅ
ପଶ୍ଚିମବଙ୍ଗର ବୀରଭୂମିରେ ଜଣେ ଟିଏମସି ନେତାଙ୍କ ହତ୍ୟା ପରେ ହିଂସା ବଢିଯାଇଛି। ହିଂସା ଯୋଗୁଁପାଖାପାଖି ୧୨ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇଦିଆଯାଇଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୨ ଜଣ ପିଲା ରହିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏପରିସ୍ଥଳେ ଏହି ଘଟଣାରେ ଜଡିତ ଏକ ହୃଦୟବିଦାରଣ କାହାଣୀ ସାମ୍ନାକୁ ଆସିଛି।
ଖବର ମୁତାବକ, ପଶ୍ଚିମବଙ୍ଗର ବୀରଭୂମି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି। ନବବିବାହିତ ଦମ୍ପତି କନ୍ୟାଙ୍କ ଗାଁକୁ ନିଜ ସ୍ୱାମୀଙ୍କ ସହିତ ବୁଲିବାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ ଏକ ଘରେ ବନ୍ଦ କରି ନିଆଁ ଲଗାଇଦେଇଥିଲେ। ସକାଳୁ ଦମ୍ପତିଙ୍କ ଦଗ୍ଧ ହୋଇଥିବା ମୃତଦେହ ପୋଲିସକୁ ମିଳିଥିଲା।
ରାମପୁରହାଟର ବୋଗତୁଇ ଗାଁରେ ପ୍ରଥମ ବୋମାମାଡ଼ କରାଯାଇଥିଲା ଏବଂ ପରେ ନିଆଁ ଲଗାଇଦିଆଯାଇଥିଲା। ଏହି ଘଟଣାରେ ପ୍ରଥମେ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଓ ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। କିନ୍ତୁ ସେତେବେଳକୁ ନିଆଁ ଚାରିଆଡେ ଲାଗିଯାଇଥିଲା। ପୋଲିସ ଏକ ଘରୁ ୭ଟି ମୃତଦେହ ବାହାର କରିଥିଲା। ଆଉ ଜଣେ ହସପିଟାଲରେ ମୃତ୍ୟୁବରଣ କରିଥିଲେ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ଅପରାଧୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।