ଆରଜି କର ମାମଲା: ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଦାୟର କଲେ ଜନସ୍ୱାର୍ଥ ମାମଲା, ଦୋଷୀକୁ ମୃତ୍ୟୁଦଣ୍ଡ ଦାବି

ଆରଜି କର ମାମଲାରେ କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଏଲ୍) ଦାୟର କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହି ମାମଲାରେ ସରକାର ଦୋଷୀ ସଞ୍ଜୟ ରାୟ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ସଞ୍ଜୟକୁ ଆଜୀବନ କାରା ଦଣ୍ଡାଦେଶ ହେବା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ମୃତ୍ୟୁଦଣ୍ଡ ଦାବି କରିଥିଲୁ । ଆମେ ଆଇନ ମଧ୍ୟ ତିଆରି କରିଥିଲୁ, କିନ୍ତୁ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରି ନ ଥିଲେ ।

ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଆବେଦନ ଦାଖଲ କରି ସଞ୍ଜୟ ରାୟ ମାମଲାରେ ସିଆଲଦା କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ଆଡଭୋକେଟ୍ ଜେନେରାଲ କିଶୋର ଦତ୍ତା ଜଷ୍ଟିସ୍ ଦେବାଂଶୁ ବସାକଙ୍କ ଖଣ୍ଡପୀଠ ସମ୍ମୁଖରେ ମାମଲା ଦାୟର କରିଛନ୍ତି, ଏହାକୁ ଦାୟର କରିବାକୁ ଅନୁମତି ଦିଆଯାଇଛି ।

ସିଏମ୍ ମମତା ବାନାର୍ଜୀ କହିଛନ୍ତି, ମୁଁ ଜଣେ ଓକିଲ । ଆଇନ ପାଠ ପଢ଼ିଛି । ଯଦି କେହି ଅପରାଧ କରିବା ପରେ ଖସିଯାଉଛି, ତା’ ହେଲେ ସେ ପୁଣିଥରେ ଅପରାଧ କରିବ ।

ସୂଚନା ଯେ ଆରଜି କର ହସ୍ପିଟାଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟକୁ ଗତକାଲି ଆଜୀବନ ଶୁଣାଇଛନ୍ତି ସିଆଲଦା କୋର୍ଟ । ୫୦ ହଜାର ଟଙ୍କା ଜରିମାନା ସହ କୋର୍ଟ ଆଜୀବନ କାରା ଦଣ୍ଡାଦେଶ ଦେଇଛନ୍ତି । ଏହା ବିରଳରୁ ବିରଳତମ ମାମଲା ନୁହେଁ ବୋଲି କୋର୍ଟ କହିଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ ସଞ୍ଜୟ ।

ଅନ୍ୟପଟେ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଅଭୟାଙ୍କ ପରିବାର ଲୋକ କ୍ଷତିପୂରଣ ନେବାକୁ ମନା କରିଦେଇଛନ୍ତି । ଏହି ଦଣ୍ଡ ଘୋଷଣା ସହ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ନ୍ୟାୟ ମିଳିଛି । ସଞ୍ଜୟ ରାୟକୁ ଶନିବାର ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ଆହୁରି ପଢ଼ନ୍ତୁ: ଆରଜି କର୍ କଲେଜ୍‌ ଦୁଷ୍କର୍ମ ଓ ହତ୍ୟା ମାମଲା: କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ମମତା ବାନାର୍ଜୀ

You might also like