ଡାକ୍ତରମାନେ ନିକଟରେ ‘ୱାକିଙ୍ଗ୍ ନିମୋନିଆ’ ସଂକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ଏହା ସାଧାରଣ, କିନ୍ତୁ ଏକ ସ୍ଥାୟୀ ଫୁସଫୁସ୍ ସଂକ୍ରମଣ ହୋଇପାରେ । ସାମାନ୍ୟ ଥଣ୍ଡା, ସର୍ଦ୍ଦି ଏହାର ଲକ୍ଷଣ । କିନ୍ତୁ ୱାକିଙ୍ଗ୍ ନିମୋନିଆ ହେଉଛି ସାଧାରଣ ନିମୋନିଆର ବିପରୀତ ।
ସାଧାରଣ ନିମୋନିଆରେ ଯେଉଁଠି ଫୁସଫୁସ୍ ସଂକ୍ରମଣ ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ, ସେଠି ୱାକିଙ୍ଗ୍ ନିମୋନିଆ ପ୍ରାୟତଃ କମ୍ ତୀବ୍ର । ଏଥିରେ ସଂକ୍ରମିତ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ଜାରି ରଖିପାରନ୍ତି, ଯେଉଁ କାରଣରୁ ୧୯୩୦ ଦଶକରେ ଏହାକୁ ଏପରି ନାମକରଣ କରାଯାଇଥିଲା ।
ଡାକ୍ତରଙ୍କ ଅନୁସାରେ, ଏହାକୁ ‘ସାଇଲେଣ୍ଟ ନିମୋନିଆ’ ମଧ୍ୟ କୁହାଯାଏ । କାରଣ, ବେଳେ ବେଳେ ଲୋକମାନେ ଏହାର ଲକ୍ଷଣ ଅନୁଭବ କରି ପାରନ୍ତି ନାହିଁ । ‘ଏକ୍ସ-ରେ’ରେ ଫୁସଫୁସରେ ତରଳ ଭର୍ତ୍ତି ବାୟୁ ଥଳୀ ଦେଖା ଯାଉଥିଲେ ମଧ୍ୟ ଲୋକେ କୌଣସି ଲକ୍ଷଣ ଅନୁଭବ କରି ନ ଥାଆନ୍ତି । ଯେଉଁ ରୋଗୀଙ୍କ ଠାରେ ଲକ୍ଷଣ ଦେଖାଯାଇ ନ ଥାଏ, ସେମାନଙ୍କୁ ‘ସାଇଲେଣ୍ଟ ହାଇପୋକ୍ସିଆ’ ଥାଇପାରେ ।
ୱାକିଙ୍ଗ୍ ନିମୋନିଆ ଏକ ପ୍ରକାରର ଏଟାଇପିକାଲ୍ ନିମୋନିଆ, ଯାହା ସାଧାରଣତଃ ମାଇକ୍ରୋପ୍ଲାଜମା ନ୍ୟୁମୋନିଆ ନାମକ ବ୍ୟାକ୍ଟେରିଆ କାରଣରୁ ହୁଏ । ଏଥିରେ ସାମାନ୍ୟ ଥଣ୍ଡା, ସର୍ଦ୍ଦି ସହ ରୋଗୀଙ୍କ ଠାରେ କାଶ, ଗଳା କୁଣ୍ଡାଇ ହେବା, ହାଲୁକା ଜ୍ୱର, ଥକ୍କାପଣ ଆଦି ଲକ୍ଷଣ ମଧ୍ୟ ଦେଖା ଯାଇଥାଏ ।
ଯଦିଓ ଏହା ଗମ୍ଭୀର ରୋଗ ନୁହେଁ, ତଥାପି ସତର୍କ ରହିବା ନିହାତି ଜରୁରୀ । ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ଏହା ଅନ୍ୟକୁ ବ୍ୟାପି ପାରେ । ଯଦି ଠିକ୍ ସମୟରେ ଏହାର ଉପଚାର କରା ନ ଯାଏ, ତେବେ ଲକ୍ଷଣ ଅନେକ ସପ୍ତାହ ଧରି ଲାଗି ରହିପାରେ । ଡାକ୍ତରଙ୍କ କହିବା ହେଲା, ବର୍ତ୍ତମାନ ଏହି ରୋଗ କାନାଡାର କିଛି ଭାଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।