ଜନ୍ମଦାତ୍ରୀ ମାଆର ସେବା ଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜଣେ ମା ନିଜ ସନ୍ତାନର ସୁଖ ପାଇଁ ସବୁକିଛି କରିବାକୁ ସର୍ବଦା ପ୍ରସ୍ତୁତ ରହିଥାଏ। ମା ଯେତେବେଳେ ବୃଦ୍ଧ ହୁଏ, ତଥାପି ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ କୌଣସି ଯନ୍ତ୍ରଣା ନ ଭୋଗୁ।କିନ୍ତୁ ଅନେକ ଥର ଶୁଣିବାକୁ ମିଳେ ଯେ ଏପରି ବ୍ୟକ୍ତି ମାନେ ଅଛନ୍ତି ଯେ ତାଙ୍କ ବୃଦ୍ଧ ମା’ଙ୍କୁ ଘରୁ ବାହାର କରିଦେଉଥିବା ବେଳେ ଆଉ କେହି ବୃଦ୍ଧ ମା’ଙ୍କୁ ମାଡ଼ ମରିଥାଏ । ଅନେକ ପିଲା ସେମାନଙ୍କର ବୃଦ୍ଧ ପିତାମାତାଙ୍କର ଯତ୍ନ ନିଅନ୍ତି ନାହିଁ।

ସେହିଭଳି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ। ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି । ମା’ଙ୍କ ସେବା ନ କରିବା ସହ ତାଙ୍କ ସମ୍ପତ୍ତି ବିକ୍ରି ପାଇଁ ପୁଅ ଉଦ୍ୟମ କରୁଥିବା ଅଭିଯୋଗ କରି ୯୦ ବର୍ଷୀୟ ବୈଦେହୀ ସିଂହଙ୍କ ଦୁଇ ଝିଅ ପୁଷ୍ପା ତିୱାରି ଓ ଗାୟତ୍ରୀ ସୁପ୍ରିମକୋର୍ଟରେ ଏକ ମାମଲା କରିଥିଲେ । ସୂଚନା ଅନୁଯାୟୀ, ମାଆ ବୈଦେହୀ ଡିମନେସିଆ ରୋଗରେ ପୀଡ଼ିତ ଥିଲେ ବି ତାଙ୍କ ପୁଅ କ୍ରିଷ୍ଣ କୁମାର ସିଂହ ଉପଯୁକ୍ତ ଚିକିତ୍ସା କରୁନଥିବା ଅଭିଯୋଗ ହୋଇଥିଲା । ଏପରିକି ପୁଷ୍ପା ଏବଂ ଗାୟତ୍ରୀ କହିଛନ୍ତି ଯେ ତାଙ୍କ ମାଙ୍କ ହେପାଜତ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଉ ଯାହାଫଳରେ ସେ ତାଙ୍କ ମାଙ୍କର ଯତ୍ନ ନେଇ ପାରିବେ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଡିଏଚ ଚନ୍ଦ୍ରଚୂଡ ଏବଂ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ କହିଛନ୍ତି ଯେ ଝିଅ ମାନେ ସେମାନଙ୍କ ମା’ର ଦାୟିତ୍ୱଗ୍ରହଣ କରିପାରିବେ। ପୁଅ ମଧ୍ୟ ତାଙ୍କ ମା’ଙ୍କୁ ଦେଖାଶୁଣା କରିପାରିବ। ଏହି ପ୍ରସଙ୍ଗରେ ପୁଅ ପକ୍ଷରୁ ଯୁକ୍ତି ଦର୍ଶାଇ ଓକିଲ କହିଛନ୍ତି ଯେ ପୁଷ୍ପା ଏବଂ ଗାୟତ୍ରୀ ସେମାନଙ୍କ ପରିବାର ସହିତ ରୁହନ୍ତି ଏବଂ ଝିଅ ମାନଙ୍କ ପାଖରେ ମାଆକୁ ରଖିବାକୁ ସ୍ଥାନ ନାହିଁ।ଏଥିପାଇଁ କୋର୍ଟ କହିଛନ୍ତି, ‘ପ୍ରଶ୍ନ ଏହା ନୁହେଁ ଯେ ମାକୁ ରଖିବା ପାଇଁ କେତେ ସମ୍ପତି ଅଛି ବରଂ ମା’ର ଯତ୍ନ ନେବାକୁ କେତେ ବଡ଼ ହୃଦୟ ଅଛି।’

ଏହା ମଧ୍ୟ ଅଭିଯୋଗ ହୋଇଥିଲା ମାଆ ବୈଦେହୀଙ୍କ ଚିକିତ୍ସା ୨୦୧୯ ରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ କରାଯାଉଥିଲା । ହେଲେ କରୋନା ପରଠାରୁ ତାଙ୍କର କିଛି ଖୋଜ ଖବର ନ ଥିଲା । ଯାହାର କିଛି ଦିନ ପରେ ସେ ଜାଣିବାକୁ ପାଇଥିଲେ ପୁଅ କ୍ରିଷ୍ଣ କୁମାର ମାଆଙ୍କୁ ବିହାରର ମୁଜାଫରପୁରରେ ରଖିଥିଲେ । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ମାଆର ସେବାଯତ୍ନ ପାଇଁ ଧନ ନୁହେଁ ବରଂ ନିର୍ମଳ ମନ ଦରକାର । ଏହାସହ ବୈଦେହୀଙ୍କ ସଂପତ୍ତି ବିକ୍ରି ଉପରେ ରୋକ ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.