ଦିଲ୍ଲୀର ବସ୍ କିଏ? ମୁଖ୍ୟମନ୍ତ୍ରୀ ନା ଉପରାଜ୍ୟପାଳ ?

ନୂଆଦିଲ୍ଳୀ :ଅରବିନ୍ଦ କେଜ୍ରିୱାଲ ନା ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଉପରାଜ୍ୟପାଳ ଅନିଲ ବୈଜାଲ କିଏ ଦିଲ୍ଳୀର ମୁଖ୍ୟ ? ଆଜି ଏହାର ଫୈସଲା କରିପାରନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଆସିବା ପରଠାରୁ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଲାଗି ରହିଛି । କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କ ଅଧିକାର କ୍ଷୁଣ୍ଣ କରୁଛନ୍ତି ।
ଏ ଅଭିଯୋଗରେ ଗତବର୍ଷ କେଜରିୱାଲଙ୍କ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ, ପ୍ରଶାସନକି କ୍ଷେତ୍ରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସର୍ବେସର୍ବା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଆପ୍ ସରକାର। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ଡିସେମ୍ବର ମାସରେ, ମାସେ ଧରି ଏହାର ଶୁଣାଣି କରିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇପାରେ।
୨୦୧୫ରେ ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ସରକାର ଗଠନ କରାଯାଇଥିଲା ଆପ୍। ଏହାପର ଠାରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ କ୍ଷମତା ଯୁଦ୍ଧ ଲାଗି ରହିଛି। ନିୟମ ମୁତାବକ ଜମିଜମା, ପ୍ରାଶାସନିକ ବ୍ୟବସ୍ଥା ଓ ପୋଲିସ ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଏହାକୁ ଆଳ କରି କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଜରିଆରେ ଦିଲ୍ଲୀ ସରକାରଙ୍କ କାମରେ ବାଧା ଦେଉଥିବା ଅଭିଯୋଗ ହୋଇଛି। ଗତ ମାସରେ ବିବାଦ ଏତେ ତୀବ୍ର ହୋଇଥିଲା ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନଅ ଦିନ ଧରି ଉପରାଜ୍ୟପାଳଙ୍କ ବାସଭବନରେ ଧାରଣାରେ ବସିଥିଲେ ।